ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୯ ତାରିଖଠାରୁ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଦିନ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।

ନରେନ୍ଦ୍ର ମୋଦି ଲଗାତର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏବଂ ନବୀନ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ହେଉଛି ପ୍ରଥମ ଭେଟ୍‌ଘାଟ୍‌। ଏହି ପ୍ରଥମ ସାକ୍ଷାତରେ ମୋଦି-ନବୀନ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଦିଲ୍ଲୀରେ ପହଞ୍ଚିବା ପରେ ନବୀନ ଗଣମାଧ୍ୟମକୁ କହିଥିଲେ ଯେ ବାତ୍ୟା ଫନିରେ ଉପକୂଳ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କ୍ଷତି କେମିତି ଭରଣା ହେବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ।

ନବୀନ ଦିଲ୍ଲୀ ଗସ୍ତରେ ଆସିବାର ଦୁଇ ଦିନ ପୂର୍ବରୁ ବାତ୍ୟା ଫନିର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଇଥିଲେ। ପ୍ରାୟ ୯ ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଇଥିଲେ। ଏହି ରିପୋର୍ଟକୁ ନେଇ ନବୀନ ଦିଲ୍ଲୀ ଆସିଥିବା କୁହାଯାଉଛି। ବାତ୍ୟାଞ୍ଚଳ ପାଇଁ ଅଧିକ ସହାୟତା ରାଶି ଦାବି କରିପାରନ୍ତି ନବୀନ।

ସେହିପରି ଲୋକସଭାରେ ଉପବାଚସ୍ପତି ପଦ ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏନଡିଏର ପ୍ରମୁଖ ସହଯୋଗୀ ଶିବସେନା ଏଥିରେ କେଁ ପୂରାଇଛି। ବିଜେଡିକୁ ନୁହେଁ, ଉପବାଚସ୍ପତି ପଦ ଆମକୁ ମିଳିବା ଦରକାର ବୋଲି ଶିବସେନା ଦାବି କରିଛି। ଏଣୁ ନବୀନ ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିପାରନ୍ତି।

ଆଉ ଦୁଇଟି ପ୍ରମୁଖ ପ୍ରସଙ୍ଗ ହେଉଛି ମହାନଦୀ ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା। ମୋଦି ସରକାରଙ୍କ ପ୍ରଥମ ପାଳିରେ ମହାନଦୀ ଜଳକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ତାହା ଏଯାଏଁ ସମାଧାନ ହୋଇପାରି ନାହିଁ। ଏଣୁ ଦ୍ୱିତୀୟ ପାଳିରେ ଏହି ସମସ୍ୟା ସମାଧାନ କରିବା ପାଇଁ ନବୀନ ମୋଦିଙ୍କୁ ସାକ୍ଷାତ ବେଳେ ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଉପା ସରକାର ଅମଳରୁ ନବୀନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି। ହେଲେ ଏହି ଦାବିକୁ ବିଚାର କରୁ ନାହାନ୍ତି କେନ୍ଦ୍ର ସରକାର। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ୨୦ ଜଣ ସାଂସଦଙ୍କୁ ନେଇ ମୋଦିଙ୍କୁ ଭେଟି ଏହି ଦାବି ଉଠାଇଥିଲେ। ହେଲେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଏହି ଦାବି ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୁଣି ନବୀନ ଏହି ପ୍ରସଙ୍ଗ ମୋଦିଙ୍କ ଆଗରେ ରଖି ପାରନ୍ତି ବୋଲି ରାଜନୀତି କରିଡରରେ ଆଲୋଚନା ହେଉଛି।

ସେହିପରି ଖଣି ରୟାଲଟି ସଂଶୋଧନ କଥା ମଧ୍ୟ ନବୀନ ମୋଦିଙ୍କୁ ସାକ୍ଷାତ ବେଳେ ଉଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନରେ ବିଜେପି ଏବଂ ବିଜେଡି ପରସ୍ପର ବିରୋଧରେ ଲଢ଼ିଥିଲେ। ଉଭୟ ଲୋକସଭା ଏବଂ ବିଧାନସଭା କ୍ଷେତ୍ରରେ ବିଜେପି ଏବଂ ବିଜେଡି ଭିତରେ ନେକ୍ ଟୁ ନେକ୍ ଫାଇଟ୍ ହୋଇଥିଲା। ମୋଦି ଏବଂ ଅମିତ ଶାହ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିଥିଲେ। ଏପଟେ ନବୀନ ବିଜେଡିର ପ୍ରଚାର ମଙ୍ଗ ଧରିଥିଲେ।

ବିଜେପି ବିଧାନସଭା କ୍ଷେତ୍ରରେ ମିଶନ ୧୨୦ ପ୍ଲସ୍‌ର ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ିଥିବା ବେଳେ ଲୋକସଭାରେ ୧୨ରୁ ଅଧିକ ଆସନ ପାଇବା ପାଇଁ ଅଙ୍କ କଷିଥିଲା। ହେଲେ ନିର୍ବାଚନ ଫଳ ସବୁ ଓଲଟପାଲଟ କରିଦେଲା।

ବିଜେଡି ୧୧୨ ବିଧାନସଭା ସିଟ୍ ଏବଂ ୧୨ ଲୋକସଭା ଆସନ ପାଇଥିବା ବେଳେ ବିଜେପି ୨୩ ଏବଂ ୮ଟି ଆସନ ପାଇଥିଲା। ସବୁଠୁ ବଡ଼ କଥା ହେଉଛି ନିର୍ବାଚନ ବେଳେ ବିଜେଡି ମ୍ୟାନେଜର ଗଣିତ କଷିଥିଲେ ଯେ କେନ୍ଦ୍ରରେ ସରକାର ଗଠନରେ ବିଜେଡି କିଙ୍ଗ ମେକର ସାଜିବ। ହେଲେ ତାହା ସମ୍ଭବ ହୋଇନି। ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ୩୫୩ ଆସନ ପାଇ ସରକାର ଗଢ଼ିଛି। ବିଜେପିର ଏହି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପରେ ବିଜେଡି ବିଜେପି ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରୁଥିବା ଚର୍ଚ୍ଚା ହେଉଛି।

Comment