ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ବାତ୍ୟା ଫନିରେ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ନୀଳଚକ୍ର ସୁରକ୍ଷିତ ଅଛି। ଭୋଗମଣ୍ଡପ କଳସର କ୍ଷୟକ୍ଷତି ହୋଇଥିଲା। ଏହାର ମରାମତି କାମ ଶେଷ ହୋଇଛି। ଆସନ୍ତା ୧୬ ତାରିଖରେ ଜୟ-ବିଜୟଙ୍କ ନୂଆ ମୂର୍ତ୍ତି ଲାଗିବ’’, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ପୁରୀରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକରେ ଟେଲିକାଷ୍ଟ ରାଇଟ୍ସ ଉପରେ ଲାଗିଥିବା କଟକଣା ସମ୍ପର୍କରେ ଆଲୋଚନା ହୋଇଥିଲା। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ‘‘ବାତ୍ୟା ଫନି ପରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିରର ଫଟୋ ଉତ୍ତୋଳନ କରାଯାଇଥିଲା। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ମୁଖ୍ୟ ମନ୍ଦିରର ବିଶେଷ କ୍ଷୟକ୍ଷତି ହୋଇନି। ରଥଯାତ୍ରାକୁ କେମିତି ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ଆସନ୍ତା କାଲି ଭୁବନେଶ୍ୱରରେ ବୈଠକ ବସିବ।’’

ଗତ ମେ’ ୩ରେ ବାତ୍ୟା ଫନି ପୁରୀରେ ବ୍ୟାପକ କ୍ଷତି କରିଥିଲା। ଏଥିରୁ ଶ୍ରୀମନ୍ଦିର ବାଦ୍ ପଡ଼ି ନଥିଲା। ସିଂହଦ୍ୱାରରେ ଥିବା ଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। କଳ୍ପପଟ୍ଟ କ୍ଷୟକ୍ଷତି ହୋଇଥିବା ବେଳେ ଆନନ୍ଦ ବଜାରରେ ଥିବା ଛୋଟ ବଡ଼ ଗଛ ଭାଙ୍ଗି ଯାଇଥିଲା। ଏହାପରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।

Comment