ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି କେନ୍ଦ୍ର ସାହିତ୍ୟ ଏକାଡେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ମଧ୍ୟ ପ୍ରକାଶ କରାଯିବ। ଏ ସଂପର୍କରେ ଏକାଡେମିରେ ସଚିବ କେ. ଶ୍ରୀନିବାସନ୍ ନିକଟରେ ସ୍ପଷ୍ଟ କରିଛନ୍ତି।

ଆଗରୁ ପୁରସ୍କାର ଘୋଷଣା ବେଳେ ବହିର ନାଁ ସହିତ କେବଳ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବିଚାରକମଣ୍ଡଳୀଙ୍କ ନାଁ ଏକାଡେମି ପକ୍ଷରୁ ପ୍ରକାଶ କରାଯାଉଥିଲା। କିନ୍ତୁ ପୁରସ୍କାର ପାଉଥିବା ବହି ଛଡ଼ା କେଉଁ ବହିଗୁଡ଼ିକ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ସେ ସଂପର୍କରେ ତଥ୍ୟ ଗୋପନ ରହୁଥିଲା। ଏକାଡେମିର ସଚିବଙ୍କ ସୂଚନା ଅନୁଯାୟୀ ଆଗାମୀ ଦିନରେ ସମସ୍ତ ଭାରତୀୟ ଭାଷାରେ ପୁରସ୍କାର ଘୋଷଣା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବହିଗୁଡ଼ିକର ନାଁ ମଧ୍ୟ ଜଣାଇ ଦିଆଯିବ।

ପ୍ରତିଟି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ତିନିଜଣିଆ ବିଚାରକମଣ୍ଡଳୀଙ୍କ ନାମ ଏବଂ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ଘୋଷଣା କରାଯିବା ପାଇଁ ଏକାଡେମି ପକ୍ଷରୁ ପ୍ରକାଶିତ ପୁରସ୍କାର ନିୟମାବଳୀରେ ସ୍ପଷ୍ଟ ରହିଛି। କିନ୍ତୁ ଏହି ଗୁରୁତ୍ୱପୂଣ୍ଣ ବିଷୟ ପ୍ରତି ଏକାଡେମି ପକ୍ଷରୁ ଆଗରୁ ନଜରଅନ୍ଦାଜ କରାଯାଉଥିବା ନେଇ ପ୍ରଶ୍ନ ଉଠିଥିଲା।

Asit Mohanty, Senior Journalist and Writer
ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅସିତ ମହାନ୍ତି

ଏହା ଫଳରେ ସାହିତ୍ୟ ଏକାଡେମି ଭଳି ଦେଶର ସମ୍ମାନଜନକ ପୁରସ୍କାର ପ୍ରଦାନ ବେଳେ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିଲା। ପୁରସ୍କାର ନିୟମ ପାଳନରେ ଏକାଡେମିର ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ବିଷୟ ସୂଚାଇ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅସିତ ମହାନ୍ତି ନିୟମିତ ଲେଖୁଥିବା  ‘ସମ୍ବାଦ’ର ‘ସାହିତ୍ୟିକ ପାଣିପାଗ’ ସ୍ତମ୍ଭରେ ଦୁଇଟି ଲେଖା ଲେଖିଥିଲେ। ସେହି ଲେଖା ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସାହିତ୍ୟାନୁରାଗୀ ଓ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ ନିକଟରେ ସାହିତ୍ୟ ଏକାଡେମିର ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଚିଠି ଲେଖିଥିଲେ।  ଏହି ତ୍ରୁଟି ସଂଶୋଧନ କରି ପୁରସ୍କାର ନିୟମକୁ ଏକାଡେମି ପୂର୍ଣ୍ଣ ଭାବରେ ପାଳନ କରୁ ବୋଲି ସେ ଦାବି କରିଥିଲେ ।

ସେହି ଚିଠିର ଉତ୍ତରରେ ଏକାଡେମିର ସଚିବ କେ. ଶ୍ରୀନିବାସନ ଶ୍ରୀ ଦାଶଙ୍କୁ  ଉତ୍ତର ଦେଇ ଜଣାଇଛନ୍ତି ଯେ ଏଣିକି ଅକାଦେମି ତା’ର ପୁରସ୍କାର ନିୟମ ପାଳନ କରି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକଙ୍କ ନାମ ସହ  ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ନିଶ୍ଚିତ ଭାବରେ ଘୋଷଣା କରିବ। ଫଳରେ ୨୪ଟି ଭାଷାରେ ଦିଆଯାଉଥିବା ପୁରସ୍କାର କ୍ଷେତ୍ରରେ ଏହା ଏବେ ଲାଗୁ ହେବାକୁ ଯାଉଛି।

Narendra Narayan Dash, Writer and Translator
ଭୁବନେଶ୍ୱରର ସାହିତ୍ୟାନୁରାଗୀ ଓ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ

‘‘୧୯୫୫ ମସିହାରୁ ଏକାଡେମି ପୁରସ୍କାର ଦିଆଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ନିୟମ ପାଳନ କରାଯାଉ ନଥିଲା। ଫଳରେ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ଅନେକ ସମୟରେ ଗଳି ବାଟ ରହିଯାଉଥିବା ନେଇ ଅଭିଯୋଗ ଉଠୁଥିଲା। ବିଶେଷକରି ପୁରସ୍କାର ପାଉଥିବା ବହିଟି ଛଡ଼ା ଅନ୍ୟ କେଉଁ ବହିଗୁଡ଼ିକ ଶେଷ ପର୍ଯ୍ୟାୟକୁ ପହଞ୍ଚିଥିଲା ତାହା ଜଣାପଡ଼ିବା ଅତ୍ୟନ୍ତ ଜରୁରୀ’’, କହିଛନ୍ତି ଅସିତ ମହାନ୍ତି।

ଓଡ଼ିଶାଲାଇଭକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହି ନୟମ ଲାଗୁ ହେବା ଫଳରେ ଏକାଡେମି ପୁରସ୍କାର ପ୍ରଦାନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆସି ପାରିବ।

ଆଗାମୀ ୧୪ ତାରିଖ ଦିନ ତ୍ରିପୁରାର ରାଜଧାନୀ ଅଗରତାଲାଠାରେ ଏକାଡେମି ୨୦୧୮ ବର୍ଷର ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି । ସେହି ଅବସରରେ ସାଧାରଣ ବୈଠକ ବସି ୨୦୧୯ର ଯୁବ ପୁରସ୍କାର ଓ ବାଲ୍‍ ସାହିତ୍ୟ ପୁରସ୍କାର ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ସେହି ଘୋଷଣା ସହିତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସାହିତ୍ୟ ଏକାଡେମି ପକ୍ଷରୁ ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ଚାରିଟି ପୁରସ୍କାର ପ୍ରଦାନ କରାଯାଉଛି। ସେଗୁଡ଼ିକ ହେଲା ସାହିତ୍ୟ ଏକାଡେମି ପୁରସ୍କାର, ସାହିତ୍ୟ ଏକାଡେମି ଅନୁବାଦ ପୁରସ୍କାର, ସାହିତ୍ୟ ଏକାଡେମି ଯୁବ ପୁରସ୍କାର ଏବଂ ସାହିତ୍ୟ ଏକାଡେମି ବାଲ୍‍ ସାହିତ୍ୟ ପୁରସ୍କାର।

୧୯୫୫ ମସିହାରେ ଏହି ପୁରସ୍କାର ଆରମ୍ଭ ହେବା ବଳେ ମୋଟ ୧୪ଟି ଭାରତୀୟ ଭାଷାରେ ପୁରସ୍କାର ଦିଆଯାଉ ଥିଲ। ବର୍ତ୍ତମାନ ସାହିତ୍ୟ ଏକାଡେମିର ମୁଖ୍ୟ ପୁରସ୍କାର ଲାଗି ସମ୍ମାନ ଫଳକ ସହିତ  ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଉଛି। ସେହିପରି ଅନ୍ୟ ୩ଟି ପୁରସ୍କାର ଲାଗି ପ୍ରତ୍ୟେକରେ ପୁରସ୍କାର ରାଶି ୫୦ ହଜାର ଟଙ୍କା ରହିଛି।

Comment