ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ପାଟକୁରା ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ। ହେଲେ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ବିଜେଡି ଏବଂ ବିଜେପି। ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ ଦଳ।

ବିଜେଡିର ଅଭେଦ୍ୟ ଦୁର୍ଗ ପାଟକୁରାକୁ ଭାଙ୍ଗିବା ପାଇଁ ବିଜେପି ରଣକୌଶଳ ତିଆରି କରୁଛି। ପାଟକୁରାରେ ଏଥର ବିଜେପିର ବିଜୟକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିଛି। ସେହିପରି ବିଜେଡି ମଧ୍ୟ ଦୁର୍ଗ ରକ୍ଷା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ହେଲେ କଂଗ୍ରେସ ଏକ୍ଷେତ୍ରରେ ପୂରା ପଛରେ ପଡ଼ି ଯାଇଛି।

୨୦୧୪ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ ୪୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀ ଭୋଟ ହାର ୬ ହଜାରକୁ ଖସି ଆସିଥିଲା। ଏହି ୬ ହଜାର ଭୋଟର ବ୍ୟବଧାନକୁ କମାଇ ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତି କରିଛନ୍ତି ରାଜ୍ୟର ବହୁ ତୁଙ୍ଗ ବିଜେପି ନେତାମାନେ।

ବିଜେପିର ତୁଙ୍ଗ ନେତାମାନେ ବୁଧବାର ଦିନ ପାଟକୁରାରେ ଡେରା ପକାଇଥିଲେ। ନିର୍ବାଚନ ପାଇଁ ମାନସମନ୍ଥନ କରିବା ପରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବିଜେଡି ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ।

‘‘ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ସରକାରୀ କଳର ଅପବ୍ୟବହାର କରିଥିଲା। ପାଟକୁରାରେ ବିଜେଡି ପ୍ରାର୍ଥୀ ଦେବାରେ ଚଞ୍ଚକତା କରିଥିବା ଓ ଫନି ଆଳରେ ନିର୍ବାଚନକୁ ଘୁଞ୍ଚାଇ ଅହେତୁକ ବିଳମ୍ବ କରିଛି ବିଜେଡି’’, କହିଥିଲେ ଭୃଗୁ ବକ୍ସିପାତ୍ର।

ଭୃଗୁ ଆହୁରି କହିଥିଲେ ଯେ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଜେପିର ସମସ୍ତ ବିଜୟୀ ବିଧାୟକ ଓ ସାଂସଦମାନେ ନିର୍ବାଚନ ପ୍ରକ୍ରିୟାରେ ସମିଲ ହେବେ। ବିଜୟଙ୍କୁ ଜିତାଇ ବିଜେପି ତାର ଆସନ ସଂଖ୍ୟା ୨୪କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ବିଜେପିର ରଣନୀତିକୁ କାଉଣ୍ଟର କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି। ସବୁ ପଞ୍ଚାୟତରେ ଜଣେ ଜଣେ ବିଧାୟକଙ୍କୁ ନିଯୁକ୍ତ କରିଛି ବିଜେଡି। ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତ ଦାୟିତ୍ଵରେ ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ରଖାଯାଇଛି।

ଗରଦପୁର ବ୍ଲକ ଦାୟିତ୍ଵରେ ରହିଛନ୍ତି ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ଵାଇଁ। ମାର୍ଶାଘାଇ ବ୍ଲକର ୭ ଟି ପଞ୍ଚାୟତ କଥା ବୁଝିବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏହାଛଡା ଗରଦପୁର ଓ ମାର୍ଶାଘାଇ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ପାଟକୁରାର ପୂର୍ବତନ ବିଧାୟକ ଅତନୁସବ୍ୟସାଚୀ ନାୟକଙ୍କୁ ଦିଆଯାଇଛି। ସେହିପରି ଡେରାବିଶ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ଆଳିର ବିଧାୟକଙ୍କୁ ଦିଆ ଯାଇଥିବା ଚର୍ଚ୍ଚା ହେଉଛି।

ଗତ ୧୦ ତାରିଖରେ ପାଟକୁରାର ସାନ ଅଢଙ୍ଗାରେ ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକଙ୍କ ଘରେ ବିଜେଡିର ଏକ ବୈଠକ ବସିଥିଲା। ଏଥିରେ ଯୋଗଦେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଦଳର ବହୁ ଛାମୁଆ କର୍ମୀ। ପାଟକୁରା ଆସନକୁ ପୁଣି ଅକ୍ତିଆର କରିବା ପାଇଁ ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ବିଜେି ଏବଂ ବିଜେଡି ପାଟକୁରା ନିର୍ବାଚନ ପାଇଁ ଆଗକୁ ବଢ଼ିଥିବା ବେଳେ କଂଗ୍ରେସ କ’ଣ କରିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ପାଟକୁରାରେ ବିଜେଡି ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜୟନ୍ତ ମହାନ୍ତି।

Comment