ଓଡ଼ିଶାଲାଇଭ୍‌ ବ୍ୟୁରୋ

 ନବନିର୍ବାଚିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା। ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସାଂସଦଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏନେଇ ସମ୍ପୃକ୍ତ ମହିଳା ସାମ୍ବାଦିକା କଟକ ପୁରୀଘାଟ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି।

ଏତଲା ଅନୁଯାୟୀ, କିଛି ଦିନ ଧରି ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ ଭାଇ ହଇରାଣ କରୁଥିଲେ। ଏବିଷୟରେ ଜଣେଇବା ପାଇଁ ଜୁନ୍‌ ୧୨ ତାରିଖରେ ମହିଳା ଜଣକ ସାଂସଦ ଅନୁଭବ ମହାନ୍ତିଙ୍କ ଘରକୁ ଯାଇଥିଲେ। ତେବେ ସେଠାରେ ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ସାମ୍ବାଦିକା।

ମହିଳାଙ୍କ ଅଭିଯୋଗ ପରେ ୧୧୮/୨୦୧୯ ଏତଲା ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି। ଦଫା ୨୯୪, ୩୫୪(କ), ୩୨୩, ୩୪(ଆଇପିସି)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା ଅନୁଭବ କହିଛନ୍ତି।

“ସେଦିନ ମହିଳା ଜଣକ ଆମ ଘର ସାମ୍ନାରେ ପାଟିତୁଣ୍ଡ କରୁଥିଲେ। ମୁଁ ଏହି ଘଟଣାକୁ ନେଇ ପୋଲିସକୁ ଖବର ଦେଇଥିଲି। କେହି ଆମକୁ ବଦନାମ କରିବାକୁ ଏଭଳି କରିଥାଇପାରନ୍ତି ଅଥବା ମହିଳା କାହା ଇଙ୍ଗିତରେ ଏଭଳି ଅଭିଯୋଗ କରିଥାଇପାରନ୍ତି” ସାଂସଦ ଅନୁଭବ ମହାନ୍ତି କହିଛନ୍ତି।

ଅନୁଭବ ଆହୁରି ମଧ୍ୟ କହିଛନ୍ତି “ଉକ୍ତ ମହିଳାଙ୍କୁ ମୋ ଭାଇ ଚିହ୍ନି ନାହାନ୍ତି। ଭାଇଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ସେ ସବୁ ମିଛ। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପୋଲିସର ତଦନ୍ତ ପ୍ରକ୍ରିୟାରେ ମୁଁ ସବୁ ପ୍ରକାରର ସହଯୋଗ କରିବି।”

Comment