ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟସଭାରେ ଶେଷ ହେଲା ଡକ୍ଟର ମନମୋହନ ସିଂହଙ୍କ କାର୍ଯ୍ୟକାଳ।

ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ସେ ଆସାମରୁ ଲଗାତର ପାଞ୍ଚ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ। କିନ୍ତୁ ଏଥର ଆସାମରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା କମ୍। ତେବେ କଂଗ୍ରେସ ମନମୋହନଙ୍କୁ କେଉଁ ରାଜ୍ୟରୁ ରାଜ୍ୟସଭାକୁ ପଠାଇବ ତାହା ଦଳ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।

ମନମୋହନ ସିଂହଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତ ମେ’ ମାସରେ ଆସାମରେ ନିର୍ବାଚନ ହୋଇଥିଲା। ଗୋଟିଏ ନୁହେଁ, ଦୁଇଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଗୋଟିଏ ବିଜେପି ହାତେଇଥିବା ବେଳେ ଅନ୍ୟଟି ବିଜେପିର ସହଯୋଗୀ ଆସାମ ଗଣପରିଷଦର ପ୍ରାର୍ଥୀ ବିଜୟୀ ହୋଇଥିଲେ।

ଏଣୁ ମନମୋହନଙ୍କୁ କଂଗ୍ରେସ କେମିତି ପୁଣିଥରେ ରାଜ୍ୟସଭାକୁ ପଠାଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କଂଗ୍ରେସର କିଛି ନେତା କହିଛନ୍ତି ଯେ ମନମୋହନଙ୍କୁ କଂଗ୍ରେସ ଯେମିତି ହେଲେ ରାଜ୍ୟସଭାକୁ ପଠାଇବ। ଯେଉଁ ରାଜ୍ୟରେ କଂଗ୍ରେସର ଅଧିକ ବିଧାୟକ ଥିବେ ସେହି ରାଜ୍ୟରୁ ମନମୋହନ ସିଂହଙ୍କୁ ରାଜ୍ୟସଭାକୁ ପଠାଯିବ।

ସବୁଠୁ ବଡ଼ କଥା ହେଉଛି ଜୁନ ୧୭ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

ମନମୋହନ ସିଂହ ଆଉଥରେ ରାଜ୍ୟସଭାକୁ ଯିବା ପାଇଁ ହେଲେ ତାଙ୍କୁ ୨୦୨୦ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ହରିଆଣା, ମହାରାଷ୍ଟ୍ର, ଆସାମ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ ହିମାଚଳପ୍ରଦେଶ ଆଦି ରାଜ୍ୟରୁ ରାଜ୍ୟସଭା ପାଇଁ ପ୍ରାୟ ୫୫ଟି ଆସନ ଖାଲି ପଡୁଛି।

ରାଜସ୍ଥାନରେ କଂଗ୍ରେସ ସରକାରରେ ରହିଛି। ଏଣୁ କଂଗ୍ରେସ ରାଜସ୍ଥାନରୁ ହିଁ ମନମୋହନଙ୍କୁ ରାଜ୍ୟସଭା ପଠାଇପାରେ।

ମନମୋହନ ସିଂହ ୧୯୯୧ରେ ପ୍ରଥମ ଥର ପାଇଁ ଆସାମରୁ ରାଜ୍ୟସଭାକୁ ଆସିଥିଲେ। ଏହାପରେ ୧୯୯୫, ୨୦୦୧, ୨୦୦୭ରୁ ଲଗାତର ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସୁଥିଲେ। ୨୦୧୩ରେ ମଧ୍ୟ ମନମୋହନ ରାଜ୍ୟସଭାକୁ ଆସିଥିଲେ।

Comment