ଓଡ଼ିଶାଲାଇଭ ବ୍ୟୁରୋ

ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଡାକ୍ତରମାନଙ୍କୁ ନିବେଦନ କଲେ ମମତା ବାନାର୍ଜୀ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କ ଦାବିକୁ ମାନି ନେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ମମତା ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି। ହଜାର ହଜାର ରୋଗୀଙ୍କ ସ୍ୱାସ୍ଥ୍ୟସେବାରେ ବାଧା ଉପୁଜିବାରୁ ଏହାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ଅଧିକାଂଶ ଦାବି ପୂରଣ କରାଯିବ ବୋଲି ମମତା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ମମତା କହିଛନ୍ତି, ‘‘କୋଲକାତାର ସବୁ ମେଡିକାଲର କଲେଜର ସୁରକ୍ଷା ବ୍ୟବସ୍ଥା ବଢ଼ାଯିବ। ମେଡିକାଲ କଲେଜଗୁଡ଼ିକର ସୁରକ୍ଷା ଦାୟିତ୍ୱ ଏସ୍‌ପି ପାହ୍ୟା ଅଫିସରଙ୍କୁ ଦିଆଯିବ।’’

ସେ ଆହୁରି କହିଛନ୍ତି ଯେ ‘‘ଡାକ୍ତରମାନଙ୍କ ସହ ଆଲୋଚନା କରିବାକୁ ମୁଁ ପ୍ରସ୍ତୁତ ଅଛି। ଶୁକ୍ରବାର ସେମାନଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। କିନ୍ତୁ ସେମାନେ ଶନିବାରକୁ ଆସିବା ପାଇଁ କହିଥିଲେ। ମୁଁ ଅପେକ୍ଷା କରିଥିଲି କିନ୍ତୁ ସେମାନେ ଆସିଲେ ନାହିଁ।’’

ସମସ୍ୟା ସମାଧାନ କରିବାକୁ ଡାକ୍ତରମାନେ ଯଦି ମତେ ପସନ୍ଦ କରୁ ନାହାନ୍ତି ତାହାଲେ ସେମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରନ୍ତୁ ବୋଲି ମମତା କହିଛନ୍ତି।

ଏହି ଅବସରରେ ମମତା ମୋଦିଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ୨୦୦୯ରେ ଗୁଜୁରାଟରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି। ତତ୍କାଳୀନ ମୋଦି ସରକାର ଏସ୍‌ମା ଲାଗୁ କରି ଡାକ୍ତର ଆନ୍ଦୋଳନକୁ ଶେଷ କରିଥିଲେ। କିନ୍ତୁ ଆମେ ସେଭଳି ପଦକ୍ଷେପ ନେଇନୁ।

ଜୁନିଅର ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଡାକ୍ତରମାନେ ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପି ଯାଇଥିଲା। ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଥିଲା।

Comment