ଓଡ଼ିଶାଲାଇଭ୍ ବ୍ୟୁରୋ

 ନବନିର୍ବାଚିତ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଜଣେ ଯୁବତୀ ସାମ୍ବାଦିକା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ।

ଅନୁଭବ କହିଛନ୍ତି, ‘‘ଦୁଇ ଦିନ ତଳେ ରାତିରେ ଜଣେ ଯୁବତୀ ଆସି ଘର ସମ୍ନାରେ ପାଟିତୁଣ୍ଡ କରିଥିଲେ। ମୁଁ ଓ ମୋ ସ୍ତ୍ରୀ ସେହି ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ। ତା’ ପରେ ଆମେ ହିଁ ପୋଲିସକୁ ଡକାଇଲୁ। ପିସିଆର ଆସିଲା। ଆମେ ପିସିଆରକୁ କହିଲୁ ଯୁବତୀଙ୍କୁ ନେଇ ଘରେ ଛାଡ଼ିବାକୁ ଏତେ ରାତିରେ ଯୁବତୀ ଜଣକ ବାହାରେ ରହିବାଟା ଆମେ ଉଚିତ୍ ମନେ କଲୁ ନାହିଁ।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ଯୁବତୀଙ୍କୁ ଏଭଳି ବ୍ୟବହାର କରିପାରିବି ନାହିଁ। ମୁଁ ରାଜନୀତିକୁ ଆସିବା ପରେ ଆଗକୁ ଏଭଳି ମିଥ୍ୟାରୋପ ଆସିବ ବୋଲି ମୁଁ ଜାଣିଥିଲି। ଯାହାବି ଅଭିଯୋଗ ଅଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଯିଏ ବି ଏହା ଫଛରେ ଅଛି, ସିଏ ଧରା ପଡ଼ିବା ଉଚିତ।’’

ଅନୁଭବ ଆହୁରି ମଧ୍ୟ କହିଛନ୍ତି, “ଉକ୍ତ ମହିଳାଙ୍କୁ ମୋ ଭାଇ ଚିହ୍ନି ନାହାନ୍ତି। ଭାଇଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ସେ ସବୁ ମିଛ। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପୋଲିସର ତଦନ୍ତ ପ୍ରକ୍ରିୟାରେ ମୁଁ ସବୁ ପ୍ରକାରର ସହଯୋଗ କରିବି।”

ସୂଚନା ଅନୁଯାୟୀ, ଜଣେ ମହିଳା ସାମ୍ବାଦିକା କଟକ ପୁରୀଘାଟ ଥାନାରେ ଅନୁଭବ ଏବଂ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ। ଜୁନ୍ ୧୨ ତାରିଖ ରାତିରେ ସେ ଏନେଇ ଗୁହାରି କରିବାକୁ ଅନୁଭବଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ସାମ୍ବାଦିକା।

Comment