ଓଡ଼ିଶାଲାଇଭ ବିଜନେସ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ଓଡ଼ିଆ ଅଫିସର ଡକ୍ଟର ରବି ନାରାୟଣ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ। ଦୀର୍ଘଦିନ ଧରି ପ୍ରଧାନମୁଖ୍ୟ ମହାପ୍ରବନ୍ଧକ ଥିବା ଡକ୍ଟର ମିଶ୍ର ନିକଟରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଛନ୍ତି।

ମୁମ୍ବାଇସ୍ଥିତ ରିଜର୍ଭ ବ୍ୟାଙ୍କର ମୁଖ୍ୟାଳୟରେ ଅବସ୍ଥାପିତ ଡକ୍ଟର ରବି ନାରାୟଣ ମିଶ୍ର ଏହି ନୂଆ ଦାୟିତ୍ୱ ପରେ ଏବେ ଏନବିଏଫସି ଏବଂ କୋଅପରେଟିଭ ବ୍ୟାଙ୍କ ସୁପରଭିଜନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନିକଟରେ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ବିଭିନ୍ନ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାମାନଙ୍କର (ନନ୍ ବ୍ୟାଙ୍କିଙ୍ଗ ଫିନାନସିଆଲ କମ୍ପାନି – ଏନବିଏଫସି) ସଠିକ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ଜୋର ଦେଉଛନ୍ତି। ସେହିପରି ଦେଶରେ ଥିବା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କଗୁଡ଼ିକର ପରିଚାଳନା ଲାଗି ଥିବା ନିୟମରେ ଆବଶ୍ୟକ ସଂଶୋଧନ ଲାଗି ସମୀକ୍ଷା କରୁଛନ୍ତି। ଡକ୍ଟର ମିଶ୍ର ଏ ସବୁ କ୍ଷେତ୍ରର ଆର୍ଥିକ ପରିଚାଳନାଗତ ସଂସ୍କାର ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଡକ୍ଟର ମିଶ୍ର ମଧ୍ୟ ରିଜର୍ଭ ବ୍ୟାଙ୍କର କଲେଜ ଅଫ୍ ସୁପରଭାଇଜର୍ସ କାର୍ଯ୍ୟକ୍ରମର ଦାୟିତ୍ୱ ସମ୍ଭାଳିବେ। କଲେଜ ଅଫ୍ ସୁପରଭାଇଜର୍ସ ହେଉଛି ବିଭିନ୍ନ ଦେଶ ମଧ୍ୟରେ ଆର୍ଥିକ ପରିଚାଳନାଗତ ନିୟମ ପ୍ରଣୟନ ଏବଂ ସମନ୍ୱୟ ରକ୍ଷା କ୍ଷେତ୍ରରେ ଏକ ଅନ୍ତର୍ଜାତୀୟ ବ୍ୟବସ୍ଥା।

ସର୍ବଭାରତୀୟ ସ୍ତରରେ ପରିଚିତ ଓଡ଼ିଆ ବ୍ୟାଙ୍କର ଡକ୍ଟର ମିଶ୍ର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ସହ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ, ମୁମ୍ବାଇ ବିଶ୍ୱବିଦ୍ୟାଳୟ ଏବଂ ହାର୍ଭାଡ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ଡିଗ୍ରୀ ହାସଲ କରିଛନ୍ତି।

ଡକ୍ଟର ମଶ୍ରଙ୍କ ପୈତୃକ ଘର ଢ଼େଙ୍କାନାଳ ଜିଲ୍ଲା ମହେନ୍ଦ୍ରପୁର ଶାସନରେ।

Comment