ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ
  • ବୈଠକରେ ଉପସ୍ଥିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆହ୍ୱାନ
  • ୨୦୨୪ ସୁଦ୍ଧା ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ
  • ସବୁ ଗାଁକୁ ୫ ବର୍ଷ ଭିତରେ ପାଇପ୍ ପାଣି ଯୋଗାଇବା ଲକ୍ଷ୍ୟ

‘‘ଭାରତର ଅର୍ଥ ବ୍ୟବସ୍ଥାକୁ ୨୦୨୪ ସୁଦ୍ଧା ୫ ଟ୍ରିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଆମ ପାଇଁ ବଡ ଚାଲେଞ୍ଜ ହୋଇଥିଲେ ମଧ୍ୟ ଏହାକୁ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ପଡ଼ିବ’’, ପଞ୍ଚମ ନୀତି ଆୟୋଗ ବୈଠକରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ବୈଠକ ବସିଥିଲା। ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଥିଲା। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ପଞ୍ଜାମ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଯୋଗ ଦେଇ ନଥିଲେ।

ଏହି ବୈଠକରେ ନ୍ୟୁ ଇଣ୍ଡିଆ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ମୋଦି କହିଛନ୍ତି ଯେ ସବ୍‌କା ସାଥ୍, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ ମନ୍ତ୍ରକୁ ପୂରା କରିବା ପାଇଁ ନୀତି ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, ‘‘ଭାରତର ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ଆମ ପାଇଁ ବଡ଼ ଆହ୍ୱାନ। ହେଲେ ଏହାକୁ ହାସଲ କରିବା ଦରକାର। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏ ଦିଗରେ  ଅଧିକ ଧ୍ୟାନ ଦେବା ଦରକାର। ସବୁ ରାଜ୍ୟମାନଙ୍କୁ ଜିଡିପି ଟାର୍ଗେଟ ବଢ଼ାଇବା ଉପରେ ଜୋର୍ ଦେବାକୁ ପଡ଼ିବ। ଏଥିପାଇଁ ଜିଲ୍ଲା ସ୍ତରରେ ଅଧିକ କାମ କରିବାକୁ ପଡ଼ିବ।’’

୨୦୨୪ ସୁଦ୍ଧା ପ୍ରତି ଗାଁରେ ପାଇପ୍ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା ମୋଦି କହିଥିଲେ। ନକ୍ସଲ ହିଂସାକାଣ୍ଡ ଉପରେ ମୋଦି ନୀତି ଆୟୋଗ ବୈଠକରେ କହିଥିଲେ ଯେ ହିଂସାର ଜବାବ କଡ଼ା ଭାବେ ଦେବା ଉଚିତ।

ଯେଉଁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇ ନାହିଁ ସେ ସବୁ ରାଜ୍ୟରେ ଏହି ଯୋଜନା ଲାଗୁ କରିବାକୁ ମୋଦି ବୈଠକରେ ଉପସ୍ଥିତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ।

Comment