ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

political collageରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍। ବିଜେଡି ସୁପ୍ରିମୋଙ୍କ ଉପରେ ନଜର।

ଓଡ଼ିଶାରୁ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିଛି। ଜୁଲାଇ ୫ରେ ନିର୍ବାଚନ ହେବ। ତେବେ ଏହି ତିନିଟି ଆସନ ପାଇଁ କାହା ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭରସା କରିବେ ତାକୁ ନେଇ ଉତ୍କଣ୍ଠା ବଢ଼ିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଆଶାୟୀଙ୍କ ଲମ୍ବା ତାଲିକାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଗତ ବିଧାନସଭା ନିର୍ବାଚନରେ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ଆଣି ନବୀନ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ବିଜୟୀ ହୋଇଥିଲେ।

ଡକ୍ଟର ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ଏବଂ ପ୍ରତାପ କେଶରୀ ଦେବ ଆଳି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ବିଧାନସଭା ନିର୍ବାଚନ ପରୋ ଏମାନେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଏଣୁ ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ।

ଖାଲିଥିବା ଏହି ତିନି ଆସନରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ ତାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ତିନିଟି ଆସନ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ବଢ଼ିଛି।

ଭୁବନେଶ୍ୱର ଲୋକସଭା ଆସନରୁ ଏଥର ଟିକେଟ ପାଇ ନଥିବା ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଆସନ ପାଇଁ ଟିକେଟ ପାଇ ନିର୍ବାଚନ ହାରିଥିବା ଅରୂପ ପଟ୍ଟନାୟକ, ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅଭିନେତା ତଥା କୋରାଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ, ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ ବିଜେଡି ସୁପ୍ରିମୋ କାହା ଉପରେ ଭରସା କରୁଛନ୍ତି ତା’ ଉପରେ ନଜର ରହିଛି।

ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱର ଲୋକସଭା ଆସନରୁ ଲଗାତର ୫ ଥର ନିର୍ବାଚନ ଜିତି ଆସିଥିଲେ। ଏଥର ବି ସେ ଟିକେଟ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ନଦେଇ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ପ୍ରସନ୍ନଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ତାଙ୍କୁ ବୁଝାଇ ଦେଇଥିଲା। ଏଣୁ ପାଟ୍ଟଶାଣୀ ରାଜ୍ୟସଭା ଯିବା ପାଇଁ ଏବେଠୁ ସଜବାଜ ହେଲେଣି।

ସେହିପରି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ବିଜୁ ଯୁବ ବାହିନୀର ଦାୟିତ୍ୱ ଦିଆଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଅରୂପ ପରାଜିତ ହୋଇଥିବାରୁ ତାଙ୍କୁ ରାଜ୍ୟସଭାକୁ ପଠାଯାଇପାରେ ବୋଲି କୁହାଯାଉଛି। ତେବେ ଯଦି ପାଟ୍ଟଶାଣୀ ରାଜ୍ୟସଭା ଯାଆନ୍ତି ତାହାଲେ ଅରୂପ ପଟ୍ଟନାୟକଙ୍କୁ ପଠାଯାଇ ନପାରେ ବୋଲି କୁହାଯାଉଛି।

୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି କୋରାଇ ଆସନରୁ ଜିତିଥିବା ଆକାଶ ଦାସନାୟକଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବୁଝାଇ ଦିଆଯାଇଥିଲା। ଏଣୁ ସେ ଏବେ ରାଜ୍ୟସଭା ରେସ୍‌ରେ ସାମିଲ ହୋଇଛନ୍ତି।

ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଏଥର ଟିକେଟ ଦେଇ ନଥିଲା ଦଳ। କଂଗ୍ରେସରୁ ଆସିଥିବା ଚନ୍ଦ୍ରଶେଖର ସାହୁଙ୍କ ଉପରେ ଭରସା କରିଥିଲା ବିଜେଡି। ଏଣୁ ସିଦ୍ଧାନ୍ତଙ୍କୁ ରାଜ୍ୟସଭା ପଠା ଯାଇପାରେ ବୋଲି କୁହାଯାଉଛି।

ସେହିପରି ଯାଜପୁର ଜିଲ୍ଲା ବରୀରୁ ଏକାଧିକବାର ବିଧାନସଭାକୁ ଆସିଥିବା ଦେବାଶିଷ ନାୟକଙ୍କୁ ବି ଏଥର ପ୍ରାର୍ଥୀ କରି ନଥିଲା। ଦେବାଶିଷ ବିଜେଡିର ଜଣେ ବରିଷ୍ଠ ନେତା ସେ ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କୁ ଟିକେଟ ଦିଆଯାଇ ନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ତାଙ୍କ ମାନଭଞ୍ଜନ ପାଇଁ ରାଜ୍ୟସଭା ପଠା ଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବିଜେଡି ବହିଷ୍କାର ଆଦେଶ ହଟାଇ ନେଇଥିଲା। ଏବେ ଘଡ଼ାଇ ବିଜେଡିରେ ସକ୍ରିୟ। ଏଣୁ ରାଜ୍ୟସଭା ପାଇଁ ତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏମାନଙ୍କ ଭିତରୁ ବିଜେଡି ସୁପ୍ରିମୋ କାହାକୁ ଟିକେଟ ଦେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

ଗତ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଥିଲା। ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ପରେ ଏବେ ବିଜେଡି ପାଖରେ ୧୧୧ଟି ଆସନ ରହିଛି। ସେହିପରି ବିଜେପି ୨୩ ଏବଂ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛନ୍ତି। ଏବେ ରାଜ୍ୟସଭାର ଯେଉଁ ୩ଟି ଆସନ ଖାଲି ପଡ଼ିଛି ସେଥିପାଇଁ ବିଜେପି କିମ୍ବା କଂଗ୍ରେସ ପାଖରେ ପ୍ରାର୍ଥୀ ଦେଲା ଭଳି ସାମର୍ଥ୍ୟ ନାହିଁ। ଏଣୁ ବିଜେଡି ହିଁ ୩ଟି ଆସନରେ ପ୍ରାର୍ଥୀ ଦେବ।

Comment