ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରଖାନା ସୁରକ୍ଷା ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ନୋଡାଲ ଅଫିସର।

ଶେଷରେ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ପଶ୍ଚିମବଙ୍ଗର ସବୁ ଡାକ୍ତରଖାନାରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଏବଂ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖିବା ପାଇଁ ମମତା ରାଜି ହୋଇଛନ୍ତି।

ମେଡିକାଲ କଲେଜରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ମମତା କୋଲକାତା ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ସଂଘ।

ଜଣେ ଡାକ୍ତରଙ୍କୁ ଆକ୍ରମଣ କରିବା ପ୍ରତିବାଦରେ ଡାକ୍ତରମାନେ ଗତ ସପ୍ତାହେ ହେଲା ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ମମତା ଆନ୍ଦୋଳନରତ ଡାକ୍ତରମାନଙ୍କୁ ନିବେଦନ କରିଥିଲେ ମଧ୍ୟ ଡାକ୍ତରମାନେ ଶୁଣି ନଥିଲେ। ଶନିବାର ଦିନ ଡାକ୍ତରମାନଙ୍କ ସହ ଆଲୋଚନା କରିବାକୁ ମମତା ଡାକିଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା।

ଶେଷରେ ଆଜି ବିଭିନ୍ନ ମେଡିକାଲ କଲେଜର ଦୁଇ ଜଣ ଲେଖାଏଁ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ମମତା। ଡାକ୍ତରମାନେ କାମ କଲାବେଳେ ଯେପରି ତାଙ୍କ ଉପରେ କୌଣସି ଆକ୍ରମଣ ନହେବ ସେ ବିଷୟରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ମମତା ପ୍ରତିଶ୍ରୁତି ଦେଇଥିଲେ।

ମମତାଙ୍କ ସହ ଆଲୋଚନା ବେଳେ ଆଲୋଚନାର ଭିଡିଓ ରେକର୍ଡ କରିବାକୁ ଡାକ୍ତରମାନେ ସର୍ତ୍ତ ରଖିଥିଲେ। ଡାକ୍ତର ଏବଂ ମମତା ଆଲୋଚନା ବେଳେ ଦୁଇଟି ଟିଭି ଚ୍ୟାନେଲରେ ଏହାର ସିଧାପ୍ରସାରଣ କରାଯାଇଥିଲା।

ଡାକ୍ତରଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ସୁରକ୍ଷା ଦାବିରେ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସାରା ଦେଶକୁ ବ୍ୟାପିଥିଲା। ଆଜି ଡାକ୍ତରମାନେ ସାରା ଦେଶରେ ବିକ୍ଷୋଭ କରିଥିଲେ। ଶେଷରେ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Comment