ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଜୁଲାଇ ୨୬ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ଆଜି ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ସାଂସଦମାନେ ଶପଥ ନେଇଥିଲେ।

ତେବେ ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତଙ୍କ ନଜରରେ ରହିଥିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏବଂ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେହିପରି ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ଲୋକସଭାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଉଭୟ ବିଜେପି ଏବଂ ବିଜେଡିର ସଦସ୍ୟମାନେ ଓଡ଼ିଆ ଭାଷାରେ ଶପଥ ନେଇଥିଲେ। କିନ୍ତୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସାନ୍ତାଳି ଭାଷାରେ ଶପଥ ନେଇଥିଲେ। ସେହିପରି ପ୍ରତାପ ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିଲେ।

ସଂସ୍କୃତ ଭାଷାରେ ତାଙ୍କର ଶପଥପାଠକୁ ନେଇ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। କାରଣ ପ୍ରତାପ ଷଡ଼ଙ୍ଗୀଙ୍କର ସଂସ୍କୃତ ଭାଷାରେ ଭଲ ଦଖଲ ରହିଛି। ଏମିତିକି ନିକଟରେ ଏକ ଗଣମାଧ୍ୟମକୁ ସଂସ୍କୃତରେ ସେ ସାକ୍ଷାତକାର ଦେଇଥିଲେ।

ଏଥର ଓଡ଼ିଶାରେ ୨୧ ଲୋକସଭା ଆସନ ମଧ୍ୟରୁ ୧୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ପ୍ରାର୍ଥୀ ଥିଲେ। ଏହି ୫ ମହିଳାଙ୍କ ମଧ୍ୟରୁ ଜଣଙ୍କ ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ସେ ହେଉଛନ୍ତି କେନ୍ଦୁଝରର ନବ ନିର୍ବାଚିତ ସାଂସଦ ଚନ୍ଦ୍ରାଣୀ ମୁର୍ମୁ।

ରାଜ୍ୟରେ ନୁହେଁ, ଚନ୍ଦ୍ରାଣୀଙ୍କୁ ନେଇ ଏବେ ଜାତୀୟ ରାଜନୀତିରେ ବି ଅନେକ ଚର୍ଚ୍ଚା ହେଉଛି।

ଚର୍ଚ୍ଚାର କାରଣ ହେଉଛି ଚନ୍ଦ୍ରାଣୀ ମାତ୍ର ୨୫ ବର୍ଷ ବୟସରେ କେନ୍ଦୁଝରର ସାଂସଦ ଭାବେ ବିଜେଡି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି।  ସେ ଲୋକସଭାରେ ସବୁଠୁ କମ ବୟସ୍କ ସଦସ୍ୟା ଭାବେ ଶପଥ ନେଇଛନ୍ତି।

ଚନ୍ଦ୍ରାଣୀ ବିଜେପିର ଦୁଇଥର ସାଂସଦ ଥିବା ଅନନ୍ତ ନାୟକଙ୍କୁ ୬୬, ୨୦୩ ଭୋଟ ବ୍ୟବଧାନରେ ହରାଇଛନ୍ତି ବିଜୟୀ ହୋଇଥିଲେ।

ଚନ୍ଦ୍ରାଣୀଙ୍କ ଘର କେନ୍ଦୁଝର ଜିଲ୍ଲା ଟିକରଗୁମୁରା ଗାଁରେ। ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ। ଏସଓଏ ବିଶ୍ୱ ବିଦ୍ୟାଳୟରେ (୨୦୧୭)ସେ ମେକାନିକାଲ ଇଞ୍ଜିନିୟରିଂରେ ଅଧ୍ୟୟନ କରିଛନ୍ତି।

ଇଞ୍ଜିନିୟରିଂ ସରିବା ପରେ ଚାକିରି ଖୋଜୁଥିଲେ ଚନ୍ଦ୍ରାଣୀ। ମାତ୍ର କୁହାଯାଏ ଭାଗ୍ୟରେ ଯାହାଥାଏ ଆମେ ତାହା ହିଁ ପାଇଥାଉ। ଠିକ୍ ସେହିପରି ଚନ୍ଦ୍ରାଣୀଙ୍କ ଭାଗ୍ୟରେ ଥିଲା ଅଲଗା କିଛି ଆଉ ସେ ଏହାରି ଭିତରେ ବିଜେଡି ଟିକେଟରେ କେନ୍ଦୁଝର ଲୋକସଭା ଆସନ ଲାଗି ନିର୍ବାଚନ ଲଢ଼ିଥିଲେ। ଚନ୍ଦ୍ରାଣୀଙ୍କ ଅଜା କେନ୍ଦୁଝରର ପୂର୍ବତନ ସାଂସଦ ଥିଲେ।

Comment