ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୮ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ଉପସ୍ଥାପିତ କରିବେ ପୂର୍ଣ୍ଣାଙ୍ଗ ବଜେଟ। ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ କ’ଣ ହେବ ସେନେଇ ରାଜ୍ୟ ସରକାର ବିଭିନ୍ନ ମହଲର ପରାମର୍ଶ ଲୋଡ଼ୁଛନ୍ତି। ସାଧାରଣ ଲୋକଙ୍କ ମତାମତକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ କେମିତି ହେବ ଏବଂ କେଉଁ ବର୍ଗକୁ ବଜେଟରେ ବେଶୀ ଧ୍ୟାନ ଦିଆଯିବ ସେନେଇ ଆଜି ବସିଥିଲା ପ୍ରାକ୍ ବଜେଟ ବୈଠକ। ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ସମେତ ଅର୍ଥ ବିଶାରଦମାନେ ଯୋଗ ଦେଇ ନିଜର ମତ ରଖିଥିଲେ।

ଏହି ପୂର୍ଣ୍ଣାଙ୍ଗ ବଜେଟରେ ସରକାରଙ୍କ କାଳିଆ ଯୋଜନା ଏବଂ ମିଶନ ଶକ୍ତି ପାଇଁ ଅଧିକ ଅର୍ଥ ବ୍ୟୟବରାଦ ହେବ। ଗତଥର ବେଜଟର ପରିମାଣ ୧ ଲକ୍ଷ ୩୨ ହଜାର ଟଙ୍କା ହୋଇଥିଲା। କିନ୍ତୁ ଚଳିତ ବର୍ଷ ବଜେଟର ପରିମାଣ ବଢ଼ି ୧ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ରାଜସ୍ୱ ଆଦାୟ ବୃଦ୍ଧି ଉପରେ ମଧ୍ୟ ପ୍ରାକ୍ ବଜେଟ ବୈଠକରେ ଗୁରୁତ୍ୱ ଦିଆଯାଇଛି।

‘‘ଚଳିତ ବଜେଟର ପରିମାଣ ଗତ ଥର ଅପେକ୍ଷା ବୃଦ୍ଧି ପାଇବ ବୋଲି ଆଶା ରହିଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସରକାର ଅଧିକ ଗୁରୁତ୍ୱ ଦେବେ’’, କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ।

‘‘ବଜେଟର ରୂପରେଖ କେମିତି ହେବ ତାହା ଜାଣିବା ପାଇଁ ଆମେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ ଏବଂ ଅର୍ଥ ବିଶେଷଜ୍ଞଙ୍କ ମତାମତ ପାଇଁ ବୈଠକ କରିଥିଲୁ। ସେମାନେ ସେମାନଙ୍କ ମୂଲ୍ୟବାନ ମତାମତ ଦେଇଛନ୍ତି। ଏହାସହ ଆମେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ଲୋଡ଼ିଛୁ। ଏହାକୁ ଆଧାର କରି ବଜେଟ ରୂପରେଖ ତିଆରି କରାଯିବ’’, କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଜୁନ୍ ୨୫ରୁ ଓଡ଼ିଶା ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି। ଗତ ଫେବ୍ରୁଆରି ମାସରେ ସରକାର କାମଚଳା ବଜେଟ ଆଗତ କରିଥିଲେ। ଆସନ୍ତା ଜୁନ୍ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।

Comment