ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ୱକପର ୨୪ତମ ମ୍ୟାଚରେ ଆଜି ଟଣ୍ଟନରେ ବାଂଲାଦେଶ-ୱେଷ୍ଟଇଣ୍ଡିଜ ମୁହାମହିଁ ହେବେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ପଲ୍ଲା ଭାରି ରହିବ।

ଚଳିତ ବିଶ୍ୱକପରେ ଦୁଇ ଦଳ ୪ଟି ମ୍ୟାଚ ଖେଳି ସମାନ ସ୍ଥିତିରେ ରହିଛନ୍ତି। ୪ଟି ମ୍ୟାଚରୁ ଦୁଇଦଳ ଗୋଟିଏରେ ବିଜୟ, ଦୁଇଟି ପରାଜୟ ଲାଭ କରିଛନ୍ତି  ଓ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା। ୱେଷ୍ଟଇଣ୍ଡିଜ ତାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା ହେଲେ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲା।

ତେବେ ଆଜିର ମ୍ୟାଚ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଇଣ୍ଡିଜ ଦଳ ଏଥର ଅଭିଜ୍ଞ ଖେଳାଳିଙ୍କୁ ନେଇ ବିଶ୍ୱକପ ଖେଳୁଥିବାରୁ ଏହି ମ୍ୟାଚରେ ଆତ୍ମବିଶ୍ୱାସ ସହ ପଡିଆକୁ ଓହ୍ଲାଇବ। ଗେଲଙ୍କ ଫର୍ମ ବାଂଲାଦେଶ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

ବାଂଲାଦେଶ ମଧ୍ୟ ତା’ର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା। ଦ.ଆଫ୍ରିକା ବିପକ୍ଷ ମ୍ୟାଚରେ ଦଳ ୩୩୦ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସକିବ ଅଲ ହାସନ ୭୫ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟ ସରକାର(୪୨), ମୁସିଫିକର ରହିମ(୭୮), ମହମ୍ମଦୁଲ୍ଲା(୪୬) ରନ କରିଥିଲେ। ଏହାପରେ ଅନ୍ୟ ମ୍ୟାଚଗୁଡ଼ିକ ଦଳ ପାଇଁ ଭଲ ରହିନଥିଲା। ତେବେ ଏହି ମ୍ୟାଚକୁ ବାଂଲାଦେଶ ନିଜ ଅଧିନରେ କରିବାକୁ ଚେଷ୍ଟା କରିବ।

ବିଶ୍ୱକପ ଇତିହାସରେ ଦୁଇଦଳ ୪ଟି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ବାଂଲାଦେଶ ଗୋଟିଏ ମ୍ୟାଚ ବି ଜିତି ପାରିନାହିଁ। ସେହିପରି ଦିନିକିଆରେ ମଧ୍ୟ ଦୁଇ ଦଳ ମଧ୍ୟରେ ୩୪ଟି ମ୍ୟାଚ ଖେଲାଯାଇଛି ସେଥିରୁ ଇଣ୍ଡିଜ ୨୧ଟି ଜିତିଥିବା ବେଳେ ବାଂଲାଦେଶ ୧୧ଟି ଜିତିଛି। ତେବେ ପୁରୁଣା ରେକର୍ଡ ହିସାବରେ ୱେଷ୍ଟଇଣ୍ଡିଜ ଦଳର ପଲ୍ଲା ଭାରି ରହିଛି।

Comment