ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ନାଁ ଅଜିତ ସାହୁ। ତାଙ୍କ ଘର ଢ଼େଙ୍କନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ବଡ଼ସୁଆଁଳ ଗାଁରେ।

ଅଜିତଙ୍କ ପରିବାରକୁ ଏହି ଦୁଃଖଦ ଖବର ସେନା ପକ୍ଷରୁ ଫୋନ ଯୋଗେ ଦିଆଯାଇଛି। ସହିଦ ହେବା ଖବର ଜାଣିବା ପରେ ସମ୍ପୂର୍ଣ୍ଣ ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୋମବାର ସନ୍ଧ୍ୟାରେ ଅନନ୍ତନାଗରେ ସେନା ଗାଡ଼ି ଯାଉଥିଲାବେଳେ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏଥିସହ ବିସ୍ଫୋରଣ ମଧ୍ୟ କରିଥିଲେ। ତା’ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ୮ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ଭିତରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା।

ଏହି ଗୁରୁତରଙ୍କ ଭିତରେ ଥିଲେ ଅଜିତ ସାହୁ। ଅଜିତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।

ଆର୍ମି କ୍ୟାମ୍ପରୁ ତାଙ୍କ ପରିବାରକୁ ଫୋନ ଆସିଥିଲା। ସୂଚନା ମୁତାବକ ଆଜି ରାତିରେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବ।

ସୋମବାର ଅନନ୍ତନାଗରେ ଆତଙ୍କବାଦୀ ଲୁଚି ରହିଥିବା ଖବର ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା।  ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ସ୍ପେଶାଲା ଅପରେସନ ଗ୍ରୁପର ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେହି ସମୟରେ ଆତଙ୍କବାଦୀ ସେନା ଗାଡ଼ିକୁ ଆକ୍ରମଣ କରିଥିଲେ।

୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ।

Comment