ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର
ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ମୃତ
ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାର ମଝିଆ ଗ୍ରାମ ନିକଟରେ ଯାତ୍ରୀବାହୀ ବସ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି।ବସ୍ଟି ବୋରିଗୁମ୍ମା ଅଭିମୁଖେ ଆସୁଥିବା ବେଳେ ଅଟୋଟି ମଧ୍ୟ ବୋରିଗୁମ୍ମା ଆଡୁ ଆସୁଥିଲା।
ମାଞ୍ଚେଷ୍ଟରରେ ମୋର୍ଗାନଙ୍କ ରାଜୁତି – ୧୭ ଛକା ମାରି ଗେଲଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ
ଆଇସିସି ବିଶ୍ୱକପ ୨୪ତମ ମ୍ୟାଚରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଆଫଗାନିସ୍ତାନ। ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ଟିମ୍ର ଅଧିନାୟକ ଇୟନ ମୋର୍ଗାନଙ୍କ ରାଜୁତି ଦେଖିବାକୁ ମିଳିଛି। ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚ୍ରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୭୧ ବଲ୍ରେ ନିଜସ୍ୱ ୧୪୮ରନ ସଂଗ୍ରହ କରିଛନ୍ତି ମୋର୍ଗାନ। ସବୁଠାରୁ ବଡ଼ କଥା ହେଲା ୧୭ଟି ଛକା ଏବଂ ୪ଟି ଚୌକା ବଳରେ ମୋର୍ଗାନ ଏହି ବଡ଼ ସ୍କୋର ଅଧିକାରୀ ହୋଇଛନ୍ତି।
ଜୁନ୍ ୨୫ ଯାଏଁ ବଢ଼ିଲା ଖରାଛୁଟି – ୨୬ରେ ଖୋଲିବ ସ୍କୁଲ
ଆସନ୍ତାକାଲି ଖୋଲିବନି ସ୍କୁଲ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟି ବଢ଼ାଇଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୫ ତାରିଖ ଯାଏଁ ଖରାଛୁଟି ବଢ଼ାଯାଇଛି। ତେବେ ଜୁନ ୨୬ରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଲୋକସଭାର ନୂଆ ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ଜାଣନ୍ତୁ?
ଲୋକସଭାର ନୂଆ ବାଚସ୍ପତି ହେବେ ଓମ ବିର୍ଲା। ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ପ୍ରାର୍ଥୀ କରିଛି। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳଙ୍କ ହାତରେ ସଂଖ୍ୟା ବଳ ନଥିବାରୁ ଏନଡିଏ ପ୍ରାର୍ଥୀ ଓମ୍ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ତେବେ ଏହି ଓମ୍ ବିର୍ଲା କିଏ ଏବଂ ତାଙ୍କୁ କାହିଁକି ଏନଡିଏ ବାଚସ୍ପତି ପ୍ରାର୍ଥୀ କଲା ଜାଣନ୍ତୁ ଏହି ରିପୋର୍ଟରୁ।
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ, ସର୍ବଦଳୀୟ ବୈଠକରେ ଯୋଗ ଦେବେ
ପୁଣିଥରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସେ ଦିଲ୍ଲୀ ଯିବେ। ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବେ। ଆସନ୍ତାକାଲି ସଂସଦରେ ବିଭିନ୍ନ ରାଜନୀତିକ ଦଳର ସଭାପତିମାନଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।