ଓଡ଼ିଶାଲାଇଭ ବ୍ୟୁରୋ

ଆଠଗଡ଼ର ପୂର୍ବତନ ବିଧାୟକଙ୍କ ପରିବାରକୁ ଏକ ଜମିଜମା ବିବାଦରେ ବାସନ୍ଦ କରିଛନ୍ତି ଗାଁ ଲୋକେ। ପୂର୍ବତନ ବିଧାୟକ ରମେଶ ରାଉତଙ୍କୁ ତାଙ୍କ ଗାଁ ରାଧାଗୋବିନ୍ଦପୁରରୁ ବାସନ୍ଦ କଲା ପରେ ସେ ଏନେଇ ଥାନାରେ ଏତଲା ଦେଇଛନ୍ତି।

ରାମେଶ ରାଉତ ଜଣେ ବ୍ୟକ୍ତିଙ୍କ ପାଖରୁ ୧.୧୬ ଏକର ଜମି କିଣିଥିଲେ। ସେହି ଜମିକୁ ନେଇ ତାଙ୍କର ଦୁଇ ଜଣ ବ୍ୟକ୍ତିଙ୍କ ସହ ବିବାଦ ରହିଥିଲା। ସେହି ଦୁଇ ଜଣ ମଧ୍ୟ ସମାନ ଜମି କିଣିଥିବାର ଅଭିଯୋଗ ଆଣିଥିଲେ। ଏହି ବିବାଦ ସମାଧାନ ପାଇଁ ଗାଁରେ ସଭା ଡକାଯାଇଥିଲା। ସଭାରେ ନିଆଯାଇଥିବା ନିଷ୍ପତ୍ତିକୁ ଗ୍ରହଣ କରିବାକୁ ରମେଶ ରାଜି ନଥିଲେ। ରମେଶ ଏହାକୁ ଗ୍ରହଣ ନକରିବାରୁ ସେହି ସଭାରେ ତାଙ୍କୁ ଗାଁରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଗାଁ ସଭାର ନିଷ୍ପତ୍ତି କ୍ରମେ ସୋମବାର ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ଏମିତିକି ଜଳଯୋଗାଣ ବି ଜୋର ଜବରଦସ୍ତ ବନ୍ଦ କରିଦିଆଯାଇଥିଲା।

ରମେଶ ଘରେ ରହୁନଥିବା ବେଳେ ତାଙ୍କ ପରିବାରକୁ ନାନାଦି ହଇରାଣ କରାଯାଉଥିବାରୁ ସେ ଆଠଗଡ ଥାନାରେ ଏତଲା ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଉଚ୍ଚପଦାଧିକାରୀଙ୍କୁ ସେ ଚିଠି ଲେଖି ଘଟଣା ସମ୍ପର୍କରେ ଜଣାଇଛନ୍ତି । ଆଠଗଡ ଥାନା ଅଧିକାରୀ ଘଟଣା ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

ରମେଶ ରାଉତ କିଏ?

ରମେଶ ରାଉତ ହେଲେ ଆଠଗଡ଼ର ପୂର୍ବତନ ବିଧାୟକ। ୨୦୦୯ରେ ଏକ ଘଟଣାକ୍ରମରେ ସେ ବିଧାୟକ ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।  ମାତ୍ର କୌଣସି କାରଣରୁ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାଥିପତ୍ର ଖାରଜ କରି ଦେଇଥିଲେ। ତା’ପରେ ରମେଶ ରାଉତ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କୁ ରଣେନ୍ଦ୍ର ବି ସମର୍ଥନ କରିଥିଲେ। ସେ ନିର୍ବାଚନ ବି ଜିତିଥିଲେ।

ହେଲେ ବର୍ଷକ ପରେ ରଣେନ୍ଦ୍ର ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ ଚାପ ପକାଉଥିବା ଅଭିଯୋଗ ହୋଇଥିଲା। ରମେଶ ଇସ୍ତଫା ଦେଇନଥିଲେ। ଇସ୍ତଫା ନଦେବାରୁ ରଣେନ୍ଦ୍ର ରମେଶଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ହାଇକୋର୍ଟରେ ଏହି ମାମଲା ଖାରଜ ହୋଇଥିଲା। ଫଳରେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥଲେ। ସୁପ୍ରିମକୋର୍ଟଙ୍କ ରାୟ ରଣେନ୍ଦ୍ରଙ୍କ ସପକ୍ଷରେ ଆସିଥିଲା। ୨୦୧୨ରେ ଆଠଗଡ଼ରେ ପୁଣିଥରେ ଉପନିର୍ବାଚନ ହୋଇଥିଲା। ଏଥିରେ ରଣେନ୍ଦ୍ର ପ୍ରାର୍ଥୀ ହୋଇଥିଲେ ଓ ଜିତିଥିଲେ।

Comment