ଓଡିଶାଲାଇଭ ବ୍ୟୁରୋ

ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ‘ସର୍ବକ୍ଷମା’ ଆବେଦନର ଅବଧି ବଢିଛି। ଗତ ବର୍ଷ ଜୁନ ୨୦ରେ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲା। ଗୁରୁବାର ଏହି ଯୋଜନାକୁ ବର୍ଷେ ପୂରିବ।

ବର୍ଷକ ଭିତରେ ଆବେଦନ ଆଶାତୀତ ହୋଇନଥିବାରୁ ଏହାକୁ ଦୃଷ୍ଟିରେ ରଖି ଆବେଦନ ଅବଧିକୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ମଙ୍ଗଳବାର ଏନେଇ ନଗର ଉନ୍ନୟନ ସଚିବ ଜି. ମାଥିବାଥନନ ବିଜ୍ଞପ୍ତି ଜାରି କରିଛନ୍ତି।

ସର୍ବକ୍ଷମା ଯୋଜନାରେ ନିୟମ କୋହଳ ହେଉନଥିବାରୁ ଆବେଦନକାରୀଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନଥିବା କୁହାଯାଉଛି। ଏମିତିକି ସରକାରୀ ସ୍ତରରେ ନିଜର ଦୋଷ ଲୁଚେଇବା ପାଇଁ ଫି ବି କମାଯାଉନି। ରାଜସ୍ୱ କମାଇବା ଚକରରେ ଅଧିକାରୀମାନେ ମାତିଥିବାବେଳେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱର ସହ ନେଉ ନାହାନ୍ତି। ଫଳରେ ସର୍ବକ୍ଷମା ଯୋଜନାକୁ ଫେଲ୍ ବୋଲି ଅଧିକାଂଶ କହୁଛନ୍ତି।

ସୁଚନା ମୁତାବକ, ସର୍ବକ୍ଷମା ଯୋଜନାରେ ହିତାଧିକାରୀଙ୍କୁ ବିଭିନ୍ନ ବିଭାଗରେ ବଣ୍ଟାଯାଇଛି। ମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସି ଓ ଗ୍ରାମାଞ୍ଚଳ ଭଳି ୪ଟି ଭାଗରେ ବିଭକ୍ତ କରାଯାଇଛି। କମ୍ପାଉଣ୍ଡିଂ ଫି, ଏଫଏଆର ମୁଲ୍ୟ(ବେଞ୍ଚମାର୍କ ମୁଲ୍ୟ) ଏବଂ ପାର୍କିଂ ଫି ହିସାବ କରି ଜରିମାନା ଧାର୍ଯ୍ୟ କରାଯାଇଛି । ବିଭିନ୍ନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ସର୍ବକ୍ଷମା ଯୋଜନା କ’ଣ?

ବିଭିନ୍ନ କାରଣରୁ ସରକାରୀ ଅନୁମୋଦନ ନେଇ ନଥିବା ଅଥବା ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି  ରାଜ୍ୟ ସରକାର ଏକ ଯୋଜନା ଆଣିଥିଲେ। ଏହି ଯୋଜନାର ନାଁ ଥିଲା ‘ସର୍ବକ୍ଷମା’।

ଏହି ଯୋଜନା ଅନୁସାରେ ହିତାଧିକାରୀ ଜରିମାନା ଦେଇ ଅନିୟମିତତାକୁ ନିୟମିତ କରିପାରିବେ। ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ଏବଂ ପୌର ସଂସ୍ଥା ଅଧିନରେ ଥିବା ନିର୍ମାଣ ଲାଗି ଏହା ଉଦ୍ଦିଷ୍ଟ।

Comment