ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ବିପଣନ ସଂସ୍ଥା (ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟାବଳୀକୁ ନେଇ ରାଜ୍ୟ ସଚିବାଳୟରେ ବୁଧବାର ଏକ ସମୀକ୍ଷା ବୈଠକ ବସିଥିଲା। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୨୦୧୮ ଆର୍ଥିକ ବର୍ଷର ସଫଳତା ଏବଂ ଚଳିତ ବର୍ଷର କାର୍ଯ୍ୟ ଖସଡ଼ା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ କିଭଳି ଅନ୍ତର୍ଜାତୀୟ ବଜାରରେ ପହଞ୍ଚିପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଓର୍‌ମାସ୍‌ ଜରିଆରେ ଗ୍ରାମୀଣ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ଦେଶର ନାମିଦାମୀ କମ୍ପାନି ସହ ଏଗ୍ରିମେଣ୍ଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଯୋଜନା ପ୍ରସ୍ତୁତ କରବାକୁ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଦେଶର ଅଗ୍ରଣୀ କମ୍ପାନି ଡ଼ାବର ଇଣ୍ଡିଆ, ମଦର ଡ଼ାଏରୀ ଏବଂ ଆଇ.ଟି.ସି. ଭଳି ସଂସ୍ଥା ସହ ଓରମାସ୍‌ ଅନୁବନ୍ଧିତ ରହିଆସିଛି। ଏହା ମଧ୍ୟମରେ ଗ୍ରାମୀଣ ଉତ୍ପାଦ ଯଥା, ହଳଦୀ, ମହୁ, ଧୂପକାଠି ଇତ୍ୟାଦି ବିକ୍ରି ହୋଇପାରିଛି।

୨୦୧୮ ଆର୍ଥିକ ବର୍ଷରେ ଓଡ଼ିଶା ଜୀବିକା ମିଶନ ପାଇଁ ୨୯୪ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ତେବେ ୩୪୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମିଶନ ଅଧିନରେ ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇଛି।

ବୈଠକରେ ଓଡ଼ିଶା ଜୀବିକା ମିଶନର ୨୦୧୮ ବର୍ଷର ସଫଳତା ଓ ଚଳିତ ବର୍ଷର କାର୍ଯ୍ୟ ଖସଡ଼ା ସମ୍ପର୍କରେ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଥିଲେ। ଚଳିତ ବର୍ଷ  ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଯୋଜନା ସମ୍ପନ୍ନ କରିବା ନେଇ ଲକ୍ଷ୍ୟ ରଖାଯାଇଛି।

Comment