ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ଉପନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଶିବିରରେ ସେଭଳି କିଛି ଉତ୍ସାହ ଆଖିରେ ପଡ଼ୁନାହିଁ। ନିକଟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପାଟକୁରାରେ ଆଉ ଏକ ପରାଜୟ ଦଳକୁ ଅପେକ୍ଷା କରିଛି ଏହା ସ୍ପଷ୍ଟ। ଅବଶ୍ୟ ଏ ପର୍ଯ୍ୟନ୍ତ ପାଟକୁରା ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ତେବେ ପ୍ରଚାରରେ ବିଜେଡି ଓ ବିଜେପି ପୂରା ଆଗୁଆ ଅଛନ୍ତି।

niranjan Pattnaikଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଏବଂ ଦଳର ବରିଷ୍ଠ ନେତା ତାଙ୍କ ବିରୁଦ୍ଧରେ ବିଦ୍ରୋହର ସ୍ୱର ଉଠାଇଥିବା ବେଳେ ପାଟକୁରାରେ ଦଳ କେମିତି ଭୋଟରଙ୍କୁ ସାମ୍ନା କରିବ ନେତାଙ୍କୁ ବୁଦ୍ଧି ବାଟ ଦେଖାଯାଉ ନାହିଁ। ଯଦି ପାଟକୁରା ନିର୍ବାଚନ ଇତିହାସକୁ ଦେଖାଯାଏ, ୧୯୫୭ ପରଠାରୁ କଂଗ୍ରେସର ଏହି ନିର୍ବାଚନ ମଣ୍ଡଳୀରେ ଦବଦବା ନାହିଁ କି ଦଳ ଗୋଟିଏ ବି ନିର୍ବାଚନ ଜିତି ନାହିଁ। ଏଣୁ ଉପନିର୍ବାଚନରେ ବିଜେପି ଓ ବିଜେଡି ପ୍ରାର୍ଥୀମାନେ ଆରାମରେ ରହିପାରିବେ।

କଂଗ୍ରେସ ପକ୍ଷରୁ ପୁଣି ଥରେ ଜୟନ୍ତ ମହାନ୍ତିଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ୨୦୧୪ରେ ସେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ହାରିଥିଲେ। ସେହି ନିର୍ବାଚନରେ ଜୟନ୍ତ ୪୨୩୧୮ ଭୋଟ ପାଇଥିବା ବେଳେ ବେଦ ପ୍ରକାଶ ଅଗ୍ରୱାଲ ୮୯୮୫୩ ଭୋଟ ପାଇଥିଲେ। ତେବେ ଏଥର ଦଳ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ବି ଆରମ୍ଭ ହୋଇନାହିଁ। ବିଜେଡି ଓ ବିଜେପିର ବରିଷ୍ଠ ନେତା ପାଟକୁରାରେ ଡେରା ପକାଇବା ଆରମ୍ଭ କରି ସାରିଲେଣି। ଅଥଚ କଂଗ୍ରେସର କେହି ଦେଖା ନାହାନ୍ତି। ଏହି ପରିସ୍ଥିତିରେ କଂଗ୍ରେସ ତୃତୀୟ ସ୍ଥାନକୁ ଚାଲିଯିବା ସ୍ପଷ୍ଟ ସଂକେତ ମିଳୁଛି।

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆଳି ଓ ରାଜନଗରରୁ କଂଗ୍ରେସର ଦେବେନ୍ଦ୍ର ଶର୍ମା ଓ ଅଂଶୁମାନ ମହାନ୍ତି ହାରି ଯାଇଥିଲେ। ସେହିଭଳି କେନ୍ଦ୍ରାପଡ଼ା ଆସନରେ ବିଜେଡିର ଶଶୀ ଭୂଷଣ ବେହେରାଙ୍କଠାରୁ କଂଗ୍ରେସର ଗଣେଶ୍ୱର ବେହେରା ହରିଯାଇଥିଲେ। ପାଟକୁରାକୁ ଲାଗି ରହିଥିବା ନିର୍ବାଚନ ମଣ୍ଡଳୀରେ ଯଦି ଏହି ସ୍ଥିତି, ଜାଗା ମୁଣ୍ଡରେ ଫଳ କ’ଣ ହେବ ତାହା ବର୍ତ୍ତମାନଠାରୁ ଅନୁମାନ କରାଯାଇପାରେ। ବିଜେଡି ଓ ବିଜେପିର ପ୍ରଚାର ମାଡ଼ରେ କଂଗ୍ରେସ ପ୍ରାର୍ଥୀ ଘାଇଲା ହେବା ନିଶ୍ଚିତ ବୋଲି ଜଣେ ସ୍ଥାନୀୟ ଅନୁଭବୀ କହିଛନ୍ତି।

Comment