ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ବଜେଟରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ସହରାଞ୍ଚଳରେ ଗୃହ ନିର୍ମାଣ ଓ ଫନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଚିଠା ବଜେଟରେ ପ୍ରଶାସନିକ କ୍ଷେତ୍ର ପାଇଁ ୫୭ ହଜାର ୪୦୦ କୋଟି ଟଙ୍କା, ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ୭୦ ହଜାର ୫୦୦ କୋଟି ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପରିଚାଳନା ପାଇଁ ୪ ହଜାର ୬୦୦ କୋଟି ଟଙ୍କା, ୠଣ ଓ ସୁଧ ପରିଶୋଧ ବାବଦରେ ୬ ହଜାର ୫୦୦ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ବଜେଟରେ ପାନୀୟ ଜଳ ଓ ପରିଛନ୍ନତା ବାବଦରେ ୬ ହଜାର ୬୫୦ କୋଟି ଟଙ୍କା, କାଳିଆ ଯୋଜନା ପାଇଁ ୫ ହଜାର ୨୦୦ କୋଟି ଟଙ୍କା, କର୍ମଚାରୀଙ୍କ ଦରମା ବାବଦରେ ୨୫ ହଜାର ୫୦୦ କୋଟି ଟଙ୍କା, ପେନସନ ବାବଦରେ ୧୩ ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୮୬୫ କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୨୧୫୦ କୋଟି, ଆମ ଗାଁ ଆମ ବିକାଶ ଓ ପିଠା ଯୋଜନାରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ବଜେଟ ପରିମାଣ ୧ ଲକ୍ଷ ୨୦ ହଜାର ୧୨୫ କୋଟି ଟଙ୍କା ଥିବା ବେଳେ ନିର୍ବାଚନ ପୂର୍ବରୁ ସରକାର ଆଗତ କରିଥିବା ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଭାବେ ୫୬ ହଜାର ୯୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ତେବେ ଆଜିର ଚିଠା ବଜେଟର ପରିମାଣ ୧.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି।

Comment