ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ବିଜେପି ବସିବ ମୁଖ୍ୟ ବିରୋଧୀ ଦଳ ଆସନରେ।

ନବଗଠିତ ଓଡ଼ିଶା ବିଧାନସଭାର ପ୍ରଥମ ଓ ବଜେଟ ଅଧିବେଶନ ଆସନ୍ତା ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମସ୍ତଙ୍କ ନଜର ଲାଖି ରହିଛି ବିରୋଧୀ ଦଳ ନେତା କିଏ ହେବେ ତାହାରି ଉପରେ। ସମ୍ଭବତଃ ସୋମବାର ସୁଦ୍ଧା ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ଓ ସେହି ସମୟରେ ନେତା ନିର୍ବାଚିତ ହେବେ।

ଯାହା ଖବର ଆସୁଛି ବିରୋଧୀ ଦଳ ନେତା ପଦ ପାଇଁ ଚାରି ଜଣ ବିଧାୟକ ଦୌଡ଼ରେ ଅଛନ୍ତି। ସେମାନେ ହେଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ। ଯିଏ ବି ଏହି ପଦ ପାଇଁ ନିର୍ବାଚିତ ହୁଅନ୍ତୁ ନା କାହିଁକି ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିବ।

ତେବେ ଜୟନାରାୟଣ ମିଶ୍ର ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ ହୋଇପାରନ୍ତି। ସେ ୨୦୦୪-୨୦୦୯ ମଧ୍ୟରେ ବିଜେପି-ବିଜେଡି ମିଳିତ ସରକରରର ପରିବହନ ମନ୍ତ୍ରୀ ଥିଲେ। ଜଣେ ଫାୟାରବ୍ରାଣ୍ଡ ନେତା ଭାବରେ ମଧ୍ୟ ସେ ଜଣାଶୁଣା। ଜୟନାରାୟଣ ଚାରି ଥର ବିଧାୟକ ରହି ସାରିଛନ୍ତି। ତାଙ୍କ ପଛକୁ ଅଛନ୍ତି ପ୍ରଦୀପ୍ତ ନାୟକ। ସେ ଜଣେ ଅନୁସୂଚିତ ଜାତିର ବିଧାୟକ ଓ ଚାରି ଥର ବିଧାନସଭା ନିର୍ବାଚନ ଜିତିଛନ୍ତି।

ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଆସନରେ ବସିବ। ୨୦୦୦ରୁ ୨୦୦୯ ମଧ୍ୟରେ ମେଣ୍ଟ ସରକାରରେ ଅଂଶୀଦାର ହେବା ପରେ ମେଣ୍ଟ ଭାଙ୍ଗିବାରୁ ବିଜେପି ଏକ ରକମ କଣଠେସା ହୋଇଯାଇଥିଲା। ୨୦୧୯ରେ ୨୩ ବିଧାୟକଙ୍କୁ ଆଣି ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୧୯୯୯୦ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପିର ଚିହ୍ନବର୍ଣ୍ଣ ନଥିଲା ବେଳେ ବିଗତ ୨୫ ବର୍ଷ ମଧ୍ୟରେ ଦଳ ତାର ପ୍ରଭାବ ବିସ୍ତାର କରି ପାରିଛି। ଓଡ଼ିଶାରେ କଂଗ୍ରେସର ଯେଉଁ ପ୍ରଭାବ ଥିଲା ତାହା ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି।

Comment