ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୋଦି-ନବୀନଙ୍କ ନୂଆ ସମ୍ପର୍କର ନୂଆ ଗଣିତ – ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କଲା ବିଜେଡି।

ବିଜେଡି-ବିଜେପି ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଭିତରେ ଯେଉଁ ସମ୍ପର୍କ ଥିଲା ତାହା ନିର୍ବାଚନ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟସଭା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବା ଘଟଣା।

ଓଡ଼ିଶାର ୩ଟି ଆସନ ପାଇଁ ଉପ-ନିର୍ବାଚନ ହେବ। ହେଲେ ଏହି ଆସନରେ ବିଜେପି ଏବଂ ବିଜେଡି ଭାଗ ବାଣ୍ଟି ପ୍ରାର୍ଥୀ ଦେଇଛନ୍ତି। ବିଜେଡି ଦୁଇଟି ଆସନ ପାଇଁ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି।

ଏଠାରେ ପ୍ରଶ୍ନ ଉଠୁଛି ବିଜେପିର ଓଡ଼ିଶା ବିଧାନସଭାରେ ମାତ୍ର ୨୩ ଜଣ ବିଧାୟକ ଥିବା ବେଳେ ଦଳ କେମିତି ଓଡ଼ିଶାରୁ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ଚିନ୍ତା କଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଦିଲ୍ଲୀରେ ହେଲା କି ସମୀକରଣ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ଏବଂ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଗତ ୯ ତାରିଖରେ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ। ମୋଦିଙ୍କୁ ସାକ୍ଷାତ କରି ଏବଂ ନୀତି ଆୟୋଗ ବୈଠକରେ ଯୋଗ ଦେଇ ଓଡ଼ିଶାର ବିଭିନ୍ନ ଦାବି ଉଠାଇଥିଲେ।

ଏହାପରେ ପୁଣି ନବୀନ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ ନବୀନ। ନବୀନଙ୍କ ଦ୍ୱିତୀୟ ପାଳି ଗସ୍ତ ସମୟରେ ହିଁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଥିଲା। ତେବେ ଏହି ସମୟରେ ମୋଦି ଏବଂ ଶାହଙ୍କ ସହ ବିଜେପିକୁ ଗୋଟିଏ ଆସନ ଛାଡ଼ିବା ପାଇଁ ଆଲୋଚନା ହୋଇଥିଲା କି?

ସବୁଠୁ ବଡ଼ କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିବାର ଠିକ୍ ଦୁଇ ଘଣ୍ଟା ତଳେ ବିଜେପି ପକ୍ଷରୁ ଏକ ଟୁଇଟ୍ କରାଯାଇଥିଲା। ଏଥିରେ ବିଜେପି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରୁଥିବା ସୂଚନା ମିଳିଥିଲା। ତେବେ ବିଜେଡି ଏବଂ ବିଜେପି ଆଲୋଚନା କରି ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ କି?

ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ପ୍ରାର୍ଥୀ ଘୋଷଣା କରିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ନିଜ ଦଳର ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। କିନ୍ତୁ ବିଜେପି ଅଶ୍ୱିନୀଙ୍କୁ ନିଜର ପ୍ରାର୍ଥୀ ବୋଲି ଦାବି କରିବା ପରେ ପୁଣିଥରେ ସ୍ପଷ୍ଟୀକରଣ ବଦଳାଇଥିଲେ ନବୀନ।

‘‘ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ। ଆମେ ତାଙ୍କୁ ସମର୍ଥନ କରିବୁ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଥା ହୋଇଛନ୍ତି’’, ବିଜେଡି ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

କାହିଁକି ବଦଳିଲା ସମୀକରଣ?

୨୦୦୯ରୁ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ  ଜଣକର ଛାଇ ପଡ଼ିଲେ ଆଉ ଜଣକର ନାହି ଡେଉଁଥିଲା। ଏପରିକି ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେଡି ସମଦୂରତା ମନ୍ତ୍ର ଜପୁଥିଲା। ୨୦୧୪ରୁ ୨୦୧୯ ଯାଏଁ ବିଜେପି ଏବଂ ବିଜେଡି ଭିତରେ ସମ୍ପର୍କ ତିକ୍ତ ରହିଥିଲା। ବିଜେଡି କଥା କଥାକେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ଅସ୍ତ୍ର କରି ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଅସ୍ତ୍ର କରି ଆନ୍ଦୋଳନ କରୁଥିଲା।

ଗତ ନିର୍ବାଚନ ବେଳେ ବି ବିଜେପି-ବିଜେପଡି ପରସ୍ପରର ଗଇ ଖୋଲିବାକୁ ପଛାଇ ନଥିଲେ। କିନ୍ତୁ ନିର୍ବାଚନ ଫଳାଫଳ ଆସସିବା ପରେ ସମୀକରଣ ବଦଳିଛି। କେନ୍ଦ୍ରରେ ଏନଡିଏ ୩୫୩ ଆସନ ପାଇ ସରକାର ଗଢ଼ିବା ପରେ ବିଜେଡି ବିଜେପି ପ୍ରତି ନରମ ଆଭିମୁଖ୍ୟ ଦେଖାଇଛି। ସବୁଠୁ ବଡ଼ କଥା ହେଉଛି ୨୦୧୪ ତୁଳନାରେ ବିଜେଡିର ଲୋକସଭା ଆସନ ସଂଖ୍ୟା ଏଥର କମି ଯାଇଛି।

ଏଣୁ ୨୦୧୪ରେ ବିଜେଡି ଦିଲ୍ଲୀରେ ଯେଉଁ ଦମ୍ଭ ଦେଖାଉଥିଲା ତାହା ଏବେ ଆଉ ନାହିଁ। ଫଳରେ ବିଜେଡି ବିଜେପିର ନିକଟତର ହେଉଥିବା କୁହାଯାଉଛି। ଏବେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରିବା ପରେ ଆଗକୁ ସମୀକରଣ ଅଲଗା ରୂପ ନେଇପାରେ ବୋଲି କୁହାଯାଉଛି।

Comment