ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ୱବ୍ୟାପି ଏହି ଦିବସକୁ ପାଳନ କରାଯାଉଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରିବା ପାଇଁ ୨୦୧୫ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି କ୍ରମରେ ଶୁକ୍ରବାର ସାରା ବିଶ୍ୱ ପାଳନ କରିଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶର ବିଭିନ୍ନ ସ୍ଥାନରେ ନେତାମାନେ ଲୋକଙ୍କ ଗହଣରେ ଯୋଗ କରିଛନ୍ତି। ରାଞ୍ଚିରେ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ ରାଷ୍ଟ୍ରପତି ଯୋଗ କରିଥିବା ବେଳେ ଅମିତ ଶାହ, ସ୍ମୃତି ଇରାନି, ରାଜନାଥ ସିଂ ବି ବିଭିନ୍ନ ଯୋଗ ଶିବିରରେ ଯୋଗ କରିଛନ୍ତି।

ରାଷ୍ଟ୍ରପତି ଭବନରେ ଯୋଗ କଲେ ରାଷ୍ଟ୍ରପତି

ଯୋଗ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଶିବିରରେ ଯୋଗ ଦେଇ ଲୋକଙ୍କୁ ଯୋଗ କରିବାକୁ ପ୍ରେରଣା ଦେବା ସହ ନିଜେ ଯୋଗ କରିଥିଲେ। ଯୋଗକୁ ଜୀବନର ଅଭିଚ୍ଛେଦ ଅଙ୍ଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଯୋଗ କରିବା ଦ୍ୱାରା ମନ ଏବଂ ଶରୀରରେ ସନ୍ତୁଳନ ରହୁଥିବାରୁ ଏହାକୁ ସମସ୍ତେ ଆପଣେଇବା ଦରକାର ବୋଲି ସେ କହିଥିଲେ।

୩୦ହଜାର ଲୋକଙ୍କ ଗହଣରେ ଯୋଗ କଲେ ମୋଦି

ରାଞ୍ଚିରେ ଯୋଗ କରିଛନ୍ତି ମୋଦି। ୨୦୧୫ରୁ ଯୋଗ ଦିବସର ଶୁଭାରମ୍ଭ ହେବା ପରେ ମୋଦି ପ୍ରତ୍ୟେକ ବର୍ଷ ଯୋଗ କରିଆସୁଛନ୍ତି। ରାଞ୍ଚି ସହର ପ୍ରକୃତିପ୍ରିୟ, ଆଦିବାସୀ ବହୁଳ ହୋଇଥିବାରୁ ସେ ଯୋଗକୁ ସେମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଞ୍ଚନ୍ତି ବୋଲି ମୋଦି କହିଥିଲେ। ଯୋଗ ଧର୍ମ ଏବଂ ବିଶ୍ୱାସଠୁ ଉର୍ଦ୍ଧ୍ୱରେ ବୋଲି କହିଥିଲେ।

ଦିଲ୍ଲୀରେ ରାଜନାଥ, ସ୍ମୃତିଙ୍କ ଯୋଗାସନ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଶିଶୁ ଓ ମହିଳା ବିକାଶ ମନ୍ତ୍ରାଳୟ ମନ୍ତ୍ରୀ ସ୍ମୃତି ଇରାନି ଦିଲ୍ଲୀରେ ଯୋଗ କରିଛନ୍ତି। ଉଭୟ ସମାନ ବାର୍ତ୍ତା  ଦେଇଥିଲେ।

ଯୋଗ କରିବା ଦ୍ୱାରା ସ୍ୱାସ୍ଥ୍ୟ, ମନ ଭଲ ରହୁଥିବାରୁ ସମସ୍ତେ ଯୋଗକରିବା ନିହାତି ଦରକାର ଏବଂ ସେମାନେ ସବୁଦିନେ ଯୋଗକରିବେ ବୋଲି କହିଥିଲେ।

ରୋହତକ ଯୋଗ ଶିବିରରେ ଅମିତ ଶାହ

ରୋହତକରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଯୋଗ କରିଥିଲେ ଅମିତ ଶାହ।

ଅମିତ ଶାହ କହିଥିଲେ, ‘‘ଯୋଗ ଭାରତର ପାରମ୍ପରିକ କଳା। ପ୍ରଧାନମନ୍ତ୍ରୀଙ୍କ ଚେଷ୍ଚା ଯୋଗୁଁ ସାରା ଭାରତ ଯୋଗ ଦିବସ ପାଳନ କରୁଛି। ସ୍ୱାସ୍ଥ୍ୟର ସୁସ୍ଥତା ଦୃଷ୍ଟିରୁ ସମସ୍ତେ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ।’’

ରାମଦେବଙ୍କ ସହ ଯୋଗ କଲେ ଫଡନାଭିସ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଯୋଗଗୁରୁଙ୍କ ସହ ଯୋଗ କରିଛନ୍ତି। ରାମଦେବ ହଜାର ହଜାର ଲୋକଙ୍କ ଗହଣରେ ଯୋଗ କରୁଥିବାବେଳେ ତାଙ୍କ ସହ ଫଡନାଭିସ ସାମିଲ ହୋଇଥିଲେ। ମହାରାଷ୍ଟ୍ରର ନାନ୍ଦେଡ଼ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

Comment