ଓଡ଼ିଶାଲାଇଭ ବ୍ୟୁରୋ

ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ ୨୭ ରୁ ୨୯ ତାରିଖ ମଧ୍ୟରେ ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ। ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତ ଯେଉଁ ପ୍ରସଙ୍ଗ ଉଠାଇବ ସେଥିପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି।’’

ଷଷ୍ଠଥର ପାଇଁ ମୋଦି ଏହି ସମ୍ମିଳନୀରେ ଯୋଗ ଦେବେ। ଏକାଧିକ ଦେଶ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବେ।

ଏହି ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କି, ଇଂଲଣ୍ଡ ଓ ଆମେରିକା ଯୋଗ ଦେବେ।

୧୯ଟି ଦେଶକୁ ନେଇ ଜି-୨୦ ସମ୍ମିଳନୀ ୧୯୯୯ ମସିହାରେ ଆରମ୍ଭ ହୋଇଥିଲା। ବିଶେଷକରି ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ସ୍ଥିରାବସ୍ଥା କେମିତି ଆସି ପାରିବ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି ସମ୍ମିଳନୀ ଆରମ୍ଭ କରାଯାଇଥିଲା। ଏହି ସମ୍ମିଳନୀରେ ଦେଶର ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯୋଗ ଦେବାର ନିୟମ ରହିଛି।

Comment