ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟସଭାକୁ ଯିବା ପାଇଁ ଆଶାୟୀ ନେତାଙ୍କୁ କେମିତି ଥଇଥାନ କରାଯିବ ସେନେଇ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢ଼ିଯାଇଛି।

ଓଡିଶାରୁ ମାତ୍ର ତିନୋଟି ରାଜ୍ୟସଭା ପଦ ପାଇଁ ଆସନ୍ତା ୫ ତାରିଖରେ ନିର୍ବାଚନ ହେବ। ଏଣୁ ଏହି ତିନି  ଆସନ ପାଇଁ ପ୍ରାର୍ଥୀ କିଏ ହେବେ ସେନେଇ କସରତ ଆରମ୍ଭ ହେବା ଉପରେ। ଖବର ଆସୁଛି ଯେ କିଛି  ଆଶାୟୀମାନଙ୍କୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି। କାରଣ ଆସନ୍ତା ଏପ୍ରିଲରେ ଓଡ଼ିଶାରୁ ଆଉ ଚାରୋଟି ରାଜ୍ୟସଭା ପଦ ଖାଲି ପଡ଼ିବ।

ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା କଂଗ୍ରେସର ରଂଜିବ ବିଶ୍ୱାଳ ଓ ବିଜେଡିର ସରୋଜିନୀ ହେମ୍ବ୍ରମ ଏବଂ ନରେନ୍ଦ୍ର ସ୍ୱାଇଁଙ୍କର ୨୦୨୦ରେ କାର୍ଯ୍ୟକାଳ ଶେଷ ହେଉଛି। ତାଛଡ଼ା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ପଦ ପାଇଁ ମଧ୍ୟ ନିର୍ବାଚନ ଆସନ୍ତା ବର୍ଷ ହେବ।

ରାଜ୍ୟସଭାକୁ ଯିବା ପାଇଁ ଆଶାୟୀଙ୍କ ତାଲିକା ଦିନକୁ ଦିନ ଲମ୍ବା ହେଉଥିବା କାରଣରୁ, କିଛି ନେତାଙ୍କୁ ବିଭିନ୍ନ ନିଗମ ଓ ଅର୍ଦ୍ଧ ସରକାରୀ ସଂସ୍ଥାରେ ଥଇଥାନ କରାଯିବ ବୋଲି ଜଣାପଡିଛି। ରାଜ୍ୟ ଯୋଜନା ବୋର୍ଡ଼ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଭଳି ରାଜ୍ୟର ଯେତେ ସବୁ ନିଗମ ଅଛି ସେସବୁ ଥଇଥାନ କେନ୍ଦ୍ର ହୋଇ ଆସିଛି।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ କାର୍ଯ୍ୟକାଳ ଚଳିତ ୧୮ ତାରିଖରେ ଶେଷ ହୋଇଛି। ସେ ବ୍ରଜରାଜନଗର ଆସନରୁ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ମହାନ୍ତିଙ୍କ ସ୍ଥାନରେ କିଏ ଅଧ୍ୟକ୍ଷ ହେବେ ସେ ନେଇ ବିଭିନ୍ନ ନେତାଙ୍କ ନାମ ଶୁଣାଯାଉଛି।

ଅନ୍ତତଃ ୫ ନେତା ଏହି ପଦବୀ ଦୌଡ଼ରେ ଅଛନ୍ତି। ସେମାନେ ହେଲେ ନଳିନୀକାନ୍ତ ପ୍ରଧାନ, କଳିକେଶ ସିଂହଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ଅନୁପ ସାଏ, ପ୍ରଭାସ ସିଂହ, ନଗେନ୍ଦ୍ର ପ୍ରଧାନ ଓ ଯୋଗେଶ ସିଂହ। ଏଥି ମଧ୍ୟରୁ କିଛି ନେତା ନିର୍ବାଚନ ହାରିଯାଇଥିବା ବେଳେ ଆଉ କିଛିଙ୍କୁ ଟିକେଟ ଦିଆ ଯାଇନଥିଲା।

ଏଣେ ଉପକୂଳ ଓଡିଶାରେ ମଧ୍ୟ ବହୁ ହେଭିୱେଟ ନେତା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ଦେବାଶିଷ ସାମନ୍ତରାୟ।

ନିର୍ବାଚନ ହେବାକୁ ଥିବା ୩ ରାଜ୍ୟସଭା ପଦ ପାଇଁ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ଆଗରେ ଅଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ରାଜ୍ୟସଭା ପଠାଯିବ ବୋଲି କହିଥିଲେ। ତେବେ ଏ ନେଇ କୌଣସି ଆଲୋଚନା ଏ ପର୍ଯ୍ୟନ୍ତ ଆରମ୍ଭ  ହୋଇନାହିଁ। ସମ୍ଭବତଃ ଆସନ୍ତା ସପ୍ତାହରେ ପ୍ରାର୍ଥୀଙ୍କ ନାମ ଘୋଷଣା  ହୋଇପାରେ।

Comment