ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କଲା ବିଜେଡି। ଓଡ଼ିଶାରେ ତେଜିଲା ରାଜନୀତି।

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ଼ ବହିଛି। ବିଜେଡି ଅଶ୍ୱିନୀଙ୍କୁ କାହିଁକି ସମର୍ଥନ କଲା ତାକୁ ନେଇ କାରଣ ଖୋଜା ଚାଲିଥିବା ବେଳେ କଂଗ୍ରେସ କିନ୍ତୁ ସମାଲୋଚନା କରିଛି।

ଅଶ୍ୱିନୀଙ୍କୁ ସମର୍ଥନ କରିବା ନେଇ ବିଜେପି ଏବଂ ବିଜେଡି ଭିତରେ କ’ଣ ଡିଲ୍ ହୋଇଛି ତାହା ଲୋକ ଜାଣିବା ଦରକାର ବୋଲି କଂଗ୍ରେସ କହିଛି।

‘‘ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଥମେ ନବୀନ ବାବୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଘୋଷଣା କଲେ। କିଛି ସମୟ ପରେ ବିଜେପି ଘୋଷଣା କଲା ଯେ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ତାଙ୍କ ପ୍ରାର୍ଥୀ। ନବୀନ ବାବୁ ପୁଣି କହିଲେ ଯେ ଅଶ୍ୱିନୀ ହେଉଛନ୍ତି ବିଜେପିର ପ୍ରାର୍ଥୀ ଏବଂ ବିଜେଡି ତାଙ୍କୁ ସମର୍ଥନ ଦେବ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି ଏବଂ ବିଜେଡି ଭିତରେ ଅଘୋଷିତ ମେଣ୍ଟ ହୋଇଛି। ଏହି ଡିଲ୍‌ ବିଷୟରେ ଜଣାଇବା ଦରକାର’’, କହିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ।

ସେ ଆହୁରି କହିଛନ୍ତି, ‘‘ବିଜେପିର ସଂଖ୍ୟା ବଳ ନାହିଁ। ତେବେ କେଉଁ ଆଧାରରେ ସେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଦେଉଛି? ଗତ ନିର୍ବାଚନରେ ବିଜେଡି ଏବଂ ପରସ୍ପର ବିରୋଧରେ ଲଢ଼ିଥିଲେ। ତେବେ କେଉଁ ଆଧାରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସମର୍ଥନ ଲୋଡୁଛନ୍ତି? ନବୀନ ବାବୁ କ’ଣ ପାଇଁ ତାଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି? ଏସବୁର ଖୁଲାସା ହେବା ଦରକାର।’’

ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କ ଭଲ ରେକର୍ଡ ନଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି। ତେବେ ତାଙ୍କ ଦ୍ୱାରା ଓଡ଼ିଶାର କ’ଣ କଲ୍ୟାଣ ହେବ ଏବଂ କ’ଣ ପାଇଁ ନବୀନ ବାବୁ ତାଙ୍କୁ ସମର୍ଥନ କଲେ ତାହା ବୁଝା ପଡୁନାହିଁ ବୋଲି ସତ୍ୟପ୍ରକାଶ ନାୟକ ପ୍ରଶ୍ନ କରିଛନ୍ତି।

କଂଗ୍ରେସର ଏହି ପ୍ରତିକ୍ରିୟାରେ ଜବାବ ରଖିଛି ବିଜେପି। ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିବା ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ।

‘‘ବିଜେପି ସବୁବେଳେ ଓଡ଼ିଶାର ବିକାଶ ଚାହେଁ। ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ମଧ୍ୟ ସବୁବେଳେ ପୂର୍ବ ଭାରତର ବିକାଶ କଥା କହି ଆସୁଛନ୍ତି। ଓଡ଼ିଶାବାସୀ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ରାୟ ଦେଇଛନ୍ତି। ଆଗାମୀ ଦିନରେ ବିଜେପି ତାର ଠିକ୍ ଦାୟିତ୍ୱ ତୁଲାଇବ। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେପି ସଂଗ୍ରାମ ଜାରି ରଖିବ’’, କହିଛନ୍ତି ଗୋଲକ ମହାପାତ୍ର।

ଓଡ଼ିଶାରୁ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ଗତ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଥିଲା। ଡକ୍ଟର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ ନବୀନ।

କିନ୍ତୁ ପରେ ବିଜେପି ଘୋଷଣା କଲା ଯେ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପିର ପ୍ରାର୍ଥୀ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିବାରୁ ନବୀନ ସ୍ପଷ୍ଟୀକରଣ ଦେଇଥିଲେ। କହିଥିଲେ ଯେ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପିର ପ୍ରାର୍ଥୀ। ତାଙ୍କୁ ବିଜେଡି ସମର୍ଥନ କରିବ।

ତେବେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ରାଜନୀତି ଜୋର୍ ଧରିଛି। କଂଗ୍ରେସ ଏହାକୁ ସମାଲୋଚନା କରିଛି।

Comment