ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ନବୀନ ଯାହା କୁହନ୍ତି ତାହା କାମରେ କରି ଦେଖାନ୍ତି। ନବୀନଙ୍କ ଉପରେ ମୋର ଭରସା ଅଛି। ସେ ନିଶ୍ଚିତ ତାଙ୍କ ପ୍ରତିଶ୍ରୁତି ରଖିବେ’’, ରାଜ୍ୟସଭା ପ୍ରାର୍ଥୀ ଘୋଷଣାର ଦିନକ ପୂର୍ବରୁ ଓଡ଼ିଶାଲାଇଭ୍‌କୁ ଏହା କହିଥିଲେ ପ୍ରସନ୍ନ ପାଟ୍ଟଶାଣୀ।

ତେବେ ଯେଉଁ ପାଟ୍ଟଶାଣୀ ନବୀନଙ୍କ ଉପରେ ଏତେ ଭରସା କରିଥିଲେ ତାଙ୍କୁ ଏବେ ନିରାଶ ହେବାକୁ ପଡ଼ିଛି। ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ପାଟ୍ଟଶାଣୀ କିମ୍ବା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାଁ ନାହିଁ।

ତଥାପି ଏହି ଦୁଇ ନେତା ଭରସା ତୁଟାଇ ନାହାନ୍ତି। ଆଗାମୀ ଦିନରେ ରାଜ୍ୟସଭାକୁ ତାଙ୍କ ପାଳି ପଡ଼ିପାରେ ବୋଲି କହିଛନ୍ତି।

‘‘ନବୀନଙ୍କ ଉପରେ ମୋର ଦୃଢ଼ ବିଶ୍ୱାସ ଅଛି। ନବୀନ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ରକ୍ଷା କରିବେ। ପରବର୍ତ୍ତୀ ସମୟରେ ମତେ ରାଜ୍ୟସଭାକୁ ପଠାଇବେ’’, କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।

ସେହିପରି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ‘‘ସୁପ୍ରିମୋଙ୍କ ଉପରେ ମୋର ଯଥେଷ୍ଟ ଭରସା ରହିଛି। ଆଗକୁ ସେ ଆମକୁ ରାଜ୍ୟସଭା ପଠାଇବେ।’’

୨୦୧୯ ନିର୍ବାଚନ ପାଇଁ ଟିକେଟ ବଣ୍ଟା ବେଳେ ଭୁବନେଶ୍ୱର ଲୋକସଭା ଆସନରୁ ପାଟ୍ଟଶାଣୀ ଏବଂ ବ୍ରହ୍ମପୁର ବିଧାନସଭା ଆସନରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବାଦ୍ ଦିଆଯାଇଥିଲା।

ପାଟ୍ଟଶାଣୀଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଏବଂ ଚ୍ୟାଉପଟ୍ଟନାୟକଙ୍କ ଜାଗାରେ କଂଗ୍ରେସରୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା ଦଳ।

ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ଗଣମାଧ୍ୟମରେ କହିଥିଲେ। ସେହିପରି ଚ୍ୟାଉପଟ୍ଟନାୟକଙ୍କ ପାଳି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନବୀନ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସସ୍ମିତ ପାତ୍ର, ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛନ୍ତି। ଏପଟେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଛନ୍ତି।

Comment