ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ବିଜୟଧାରା ଜାରି ରଖିବ ଭାରତ!

ଚଳିତ ଆଇସିସି ବିଶ୍ଵକପରେ ଶନିବାର ସାଉଥମ୍ପଟନରେ ଅପରାଜୟେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ। ପୂର୍ବରୁ ଭାରତୀୟ ଦଳ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚରେ ବର୍ଷା ଯୋଗୁଁ ପଏଣ୍ଟ ଭାଗ କରାଯାଇଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ୫ଟି ମ୍ୟାଚ ଖେଳି କୌଣସି ବି ମ୍ୟାଚରେ ବିଜୟୀ ହୋଇପାରି ନାହିଁ। ଏହି ମ୍ୟାଚଟି ଆଫଗାନିସ୍ତାନ ପାଇଁ ଜିତିବା କାଠିକରପାଠ ହୋଇପାରେ।

ଏଣିକି ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ

ଏଣିକି ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ। ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଛନ୍ତି। ୧୦ଜଣରୁ କମ୍ ଥିବା ଛାତ୍ରଛାତ୍ରୀ ବିଶିଷ୍ଟ ସ୍କୁଲକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସାରା ରାଜ୍ୟରେ ୧୦ଜଣ ଛାତ୍ରଛାତ୍ରୀରୁ କମ୍ ଥିବା ଏଭଳି ସ୍କୁଲ ମୋଟ୍ ୯୬୬ଟି ଚିହ୍ନଟ କରାଯାଇଛି। ବନ୍ଦ ହେଉଥିବା ସ୍କୁଲର ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲରେ ପାଠ ପଢ଼ିବାକୁ ଯିବେ।

ବିହାରରେ ଥମୁନି ଶିଶୁ ମୃତ୍ୟୁ, ଜ୍ୱରରେ ଗଲାଣି ୧୫୦ରୁ ଅଧିକ ଜୀବନ

ବିହାରରେ ଏକ୍ୟୁଟ ଏନସେଫାଲିଟିସ ସିନଡ୍ରୋମରେ ଆକ୍ରାନ୍ତ ହୋଇ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୧୫୦ ପରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କେବଳ ମୁଜାଫରପୁରରେ ମୃତ୍ୟୁ ସଂଖ୍ୟା ୧୨୪। ହସ୍ପିଟାଲରେ ଏବେବି ୫୦୦ରୁ ଅଧିକ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।  ଶିଶୁ ମୃତ୍ୟୁ ନେଇ ବିହାରରେ ଉତ୍ତେଜନା ମଧ୍ୟ ଦେଖାଯାଇଛି।

ଗୁଗଲ ଡୁଡଲରେ ଅମରୀଶ ପୁରୀ

‘ମିଷ୍ଟର ଇଣ୍ଡିଆ’, ‘ନାୟକ’, ‘ଦିଲବାଲେ ଦୁଲହନିଆଁ ଲେ ଜାୟେଗେଁ’ ଓ ‘ପରଦେଶ’ ଭଳି ସୁପରିହିଟ ଭଳି ସୁପରହିଟ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକ ମନ ଜିଣିଥିଲେ ଅଭିନେତା ଅମରୀଶ ପୁରୀ। ଆଜି ଯଦି ସେ ଆମ ଗହଣରେ ଥା’ନ୍ତେ ତ ନିଜର ୮୭ତମ ଜନ୍ମଦିନ ପାଳନ କରିଥାନ୍ତେ। ଅମରୀଶ ପୁରୀଙ୍କ ୮୭ତମ ଜନ୍ମଦିନ ଅବସରରେ ଗୁଗୁଲ ତାଙ୍କୁ ଏକ ଖାସ ଅନ୍ଦାଜରେ ମନେ ପକେଇଛି। ଏକ ସ୍ପେଶାଲ ଡୁଡଲ କରି ସିନେମା ଜଗତରେ ତାଙ୍କର ଯୋଗଦାନକୁ ମନେ ପକାଇଛି ଗୁଗଲ।

ଅଣସର ଗୃହରେ ମହାପ୍ରଭୁ: ଆଜି ଲାଗି ହେବ ଫୁଲୁରି ତେଲ

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ମହାପ୍ରଭୁ ଜରରେ ପଡ଼ି ଅଣସର ଗୃହରେ ରହିଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଗୃହରେ ଚାଲିଛି ଗୋପନ ସେବା। ଚତୁର୍ଦ୍ଧାମୂର୍ତ୍ତିଙ୍କର ସେବା କରୁଛନ୍ତି ଦଇତାପତି ସେବାୟତ। ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ପଞ୍ଚମ ଦିନ। ଏହି ଦିନରେ ମହାପ୍ରଭୁଙ୍କୁ ଫଲୁରି ତେଲ ଲାଗି କରାଯିବ। ଏହି ତେଲ ଲାଗି ପରେ ମହାପ୍ରଭୁ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି।

ହସ୍ପିଟାଲରୁ ଫେରିବା ବେଳେ ହେଲା ଦୁର୍ଘଟଣା: ନବଜାତ ଶିଶୁ ସହ ମା’ର ମୃତ୍ୟୁ

କେନ୍ଦ୍ରାପଡ଼ାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଏଥିରେ ମୃତ ମହିଳାଙ୍କ ସ୍ୱାମୀ, ବଡ଼ ଯା‘ ଆଶାକର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ମାମୁନି ମଲ୍ଲିକ। ଖବର ଅନୁସାରେ ଶୁକ୍ରବାର ରାତିରେ ମାମୁନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ମୋଦିଙ୍କୁ CJIଙ୍କ ଚିଠି, ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରିବାକୁ କଲେ ଅନୁରୋଧ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଟି ଚିଠି ଲେଖିଛନ୍ତି। ଚିଠିରେ ସେ ବିଭିନ୍ନ ପ୍ରସଙ୍ଗ ରଖିଛନ୍ତି। ସେଥିରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ପ୍ରଥମ ଚିଠିରେ ପ୍ରଥମେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଜଷ୍ଟିସ ଗୋଗୋଇ ଲେଖିଛନ୍ତି। ଦେଶର ତମାମ କୋର୍ଟରେ ୪୩ ଲକ୍ଷ ମାମଲା ପଡ଼ି ରହିଛି। ବିଚାରପତିଙ୍କ ସଂଖ୍ୟା କମ୍ ଥବାରୁ ଏହି ମାମଲାର ଶୁଣାଣି ହୋଇ ପାରୁନାହିଁ ବୋଲି ମୁଖ୍ୟ ବଚାରପତି ଚିଠିରେ ଲେଖିଛନ୍ତି।

 

Comment