ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ଛୁଇଁଛି ମୌସୁମୀ। ଶୁକ୍ରବାର ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ହେଲେ ଗତକାଲିଠାରୁ ପାଗରେ ପରିବର୍ତ୍ତନ ଦେଖା ଦେବା ଫଳରେ ବର୍ଷାର ପରିମାଣ କମିଛି। ତେବେ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ ବୋଲି ରବିବାର ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ଚଳିତବର୍ଷ ରାଜ୍ୟରେ ମୌସୁମୀଜନିତ ବର୍ଷା କମ୍‌ ହେବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲା। ସେଥିପାଇଁ ଲଘୁଚାପ ଆରମ୍ଭରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିଥିବାରୁ ବର୍ଷାର ପରିମାଣ କମିଛି।

ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ଫୁଲବାଣୀ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କାଳବୈଶାଖି ପ୍ରଭାବରୁ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି।

Comment