ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ତିନି ପ୍ରାର୍ଥୀ।

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ତିନି ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ଡକ୍ଟର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପସ୍ରାଦ ମିଶ୍ରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ଏହି ତିନି ପ୍ରାର୍ଥୀ କାହା ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ କଲେ ଜାଣନ୍ତୁ।

ଅଚ୍ୟୁତଙ୍କ ଜାଗାରେ ଅମର

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅମର ପଟ୍ଟନାୟକ। ଅମର ହେଉଛନ୍ତି ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ। ସେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ ଥିଲେ। ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ।

ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ। ଏହି ପଦବୀ ଖାଲି ପଡ଼ିଥିଲା। ଅମରଙ୍କୁ ଅଚ୍ୟୁତଙ୍କ ଜାଗାରେ ରାଜ୍ୟସଭା ପଠାଉଛି ବିଜେଡି। ଅଚ୍ୟୁତଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେବାର ଥିଲା।

ପ୍ରତାପଙ୍କ ଜାଗାରେ ସସ୍ମିତ

ଆଳି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ପ୍ରତାପ ଦେବ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କ ଜାଗାରେ ସସ୍ମିତ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସସ୍ମିତ ବିଜେଡିର ମୁଖପାତ୍ର ଅଛନ୍ତି। ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ରେ ପୂରିବାର ଥିଲା।

ସୌମ୍ୟଙ୍କ ସ୍ଥାନରେ ଅଶ୍ୱିନୀ

ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ। ଏହି ପଦବୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ। ସୌମ୍ୟଙ୍କ କାର୍ଯ୍ୟକାଳ ୨୦୨୪ ଯାଏଁ ଥିଲା। ଅଶ୍ୱିନୀ ହେଉଛନ୍ତି ପୂର୍ବତନ ଆଇଏଏସ୍ ଅଫିସର। ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସମର୍ଥନ ଦେଇଛି।

Comment