ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳବନ୍ଦୀ, ବନ୍ୟା ସମସ୍ୟା ପ୍ରତି ପ୍ରାଥମିକତା ଦିଆଯିବ।

କଟକ: କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭବାନୀଶଙ୍କର ଚଇନି। ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ତାଙ୍କୁ କାର୍ଯ୍ୟଭାର ପ୍ରଦାନ କରିଛନ୍ତି। ଶ୍ରୀ ଚଇନି ୧୯୮୯ ମସିହା ଓପିଏସ୍‌ସି ପରୀକ୍ଷାରେ ପ୍ରଥମ ସ୍ଥାନ ଅକାର କରିଥିଲେ। ପରେ ବିଭିନ୍ନ ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରି ନିଜ କାର୍ଯ୍ୟ ଦକ୍ଷତା ପ୍ରମାଣିତ କରିଥିଲେ।

ସମବାୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବା ପରେ ଏବେ କଟକ ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଛି।

ଭବାନୀଶଙ୍କର ଚଇନି କହିଛନ୍ତି, ‘‘କଟକ ଜିଲ୍ଲାର ବିଭିନ୍ନ ସମସ୍ୟା ମୋ’ ନଜରରେ ରହିଛି। ବର୍ଷା ଦିନ ପ୍ରତି ଅଧିକ ଧ୍ୟାନ ଦିଆଯିବ। କଟକ ସହରରେ ଲୋକେ କିଭଳି ଜଳବନ୍ଦୀ ସମସ୍ୟାରୁ ମୁକୁଳିବେ ସେ ନେଇ ପ୍ରଶାସନର ଫୋକସ୍ ରହିବ। କଟକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ। ତେଣୁ ଏଥର ବନ୍ୟା ବିତ୍ପାତକୁ ମୁକାବିଲା କରିବାକୁ ପ୍ରାଥମିକତା ଦିଆଯିବ। ଜନଜୀବନ ହାନୀ କିଭଳି ନହୁଏ ସେ ଦିଗରେ ଗୁରୁତ୍ୱାରୋପ କରାଯିବ।’’

ବାଦାମାବଡ଼ି ବସ୍‌ଷ୍ଟାଣ୍ଡ ସମସ୍ୟା ନେଇ ଦୀର୍ଘ ଦିନ ଧରି କଟକ ଲୋକେ ହଇରାଣ ହେଉଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ କରାଯିବ। ବାଦାମବାଡ଼ିର ଚେହେରା ବଦଳାଇବାକୁ ପୂର୍ବରୁ ହୋଇଥିବା ଯୋଜନାକୁ ତ୍ୱରାନ୍ୱିତ କରାଯିବ। ସେହିପରି ଜାଇକା କାର୍ଯ୍ୟକୁ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ନୂଆ ଜିଲ୍ଲାପାଳ କହିଛନ୍ତି।

ସେ ଆହୁରି କହିଥିଲେ, ‘‘ଜିଲ୍ଲାପ୍ରଶାସନ ପ୍ରତି ଲୋକଙ୍କ ଭରସା ଥାଏ। ସେଥିପାଇଁ ଲୋକେ ବିଭିନ୍ନ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୁଅନ୍ତି। ତେଣୁ ଲୋକେ କିଭଳି ନ୍ୟାୟ ପାଇବେ ସେ ଦିଗରେ ପ୍ରଚେଷ୍ଟା ରହିବ। କେବଳ ମୁଁ ନୁହେଁ, ପ୍ରଶାସନର ସମସ୍ତ ଅଧିକାରୀ ଏଥିପ୍ରତି ଯତ୍ନବାନ ହେବେ। ସେଥିପାଇଁ ମୁଁ ଏକ ଯୋଜନା କରିଛି। ଏଣିକି ସାପ୍ତାହିକ ଗୋଟିଏ ଅଭିଯୋଗ ପ୍ରକୋଷ୍ଠ ନୁହେଁ, ବରଂ ତିନୋଟି କରାଯିବ।’’

Comment