ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମଙ୍ଗଳବାରଠୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ନୂଆ ବିଧାନସଭାରେ ଅଲଗା ଚିତ୍ର ଦେଖିବେ ଓଡ଼ିଶାବାସୀ। ଗତ ୧୯ ବର୍ଷ ହେଲା ମୁଖ୍ୟ ବିରୋଧୀ ଆସନରେ ବସି ଆସୁଥିବା କଂଗ୍ରେସକୁ ଏଥର ବିଜେପି ବିଧାୟକମାନେ ବସୁଥିବା ଜାଗାରେ ଦେଖିବାକୁ ମିଳିବ।

ସେହିପରି ମୁଖ୍ୟ ବିରୋଧୀ ଦଳ ଆସନରେ ବିଜେପିକୁ ଦେଖିବାକୁ ମିଳିବ। ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ପଦବୀରେ ଅଦଳ ବଦଳ ହୋଇଛି। ଗତ ବିଧାନସଭାରେ ମୁଖ୍ୟ ସଚେତକ ଥିଲେ ଅମର ପ୍ରସାଦ ଶତପଥୀ। ଏବେ ତାଙ୍କ ଜାଗାରେ ପ୍ରମିଳା ମଲ୍ଲିକଙ୍କୁ ଦେଖିବାକୁ ମିଳିବ। ଉପମୁଖ୍ୟ ସଚେତକ ପଦବୀରେ ପ୍ରଣବ ବଳବନ୍ତରାୟଙ୍କୁ ଦେଖିବାକୁ ମିଳିବ।

ତେବେ ସବୁଠୁ ବଡ଼ କଥା ହେଉଛି ରାତି ପାହିଲେ ବିଧାନସଭା ଆରମ୍ଭ ହେବାକୁ ଯାଉଥିବାରୁ ଏଯାଏଁ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନଥିବା ବେଳେ କଂଗ୍ରେସ ମଧ୍ୟ ବିଧାୟକ ଦଳ ନେତା ବାଛି ପାରିନି। ଏଣୁ ବିରୋଧୀ ଚଳିତ ବିଧାନସଭାରେ କେଉଁ ପ୍ରସଙ୍ଗ ଉଠାଇବ ତାକୁ ନେଇ ଭାଳେଣି ପଡ଼ିଛି।

‘‘ଆସନ୍ତା କାଲି କଂଗ୍ରେସ ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ବିଧାନସଭାରେ କେଉଁ ପ୍ରସଙ୍ଗରେ ଆଲୋଚନା କରାଯିବ ସେନେଇ ରଣନୀତି ପ୍ରସ୍ତୁତ ହେବ। ସରକାରଙ୍କୁ ଘେରିବା ପାଇଁ ଆମ ହାତରେ ଅନେକ ପ୍ରସଙ୍ଗ ରହିଛି। ଚାଷଜମି, ଜଳସେଚନ, କର୍ମନିଯୁକ୍ତି, ଦାଦନ ପ୍ରସଙ୍ଗ ଆମେ ବିଧାନସଭାରେ ଉଠାଇବୁ’’, କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘‘ଗୃହରେ ଓଡ଼ିଶାର ବିଭିନ୍ନ ସ୍ୱାର୍ଥ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବୁ। ବିରୋଧୀ ଦଳ ହିସାବରେ ଯାହା କରିବା କଥା ଆମେ କରିବୁ। ଗୃହରେ ସୁରୁଖୁରୁରେ ଚାଲିବା ଉପରେ ଧ୍ୟାନ ଦେବୁ।’’

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ଆସନ୍ତକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ବିରୋଧୀ କେଉଁ ପ୍ରସଙ୍ଗ ଉଠାଉଛନ୍ତି ତାକୁ ଆମେ ଦେଖିବୁ। ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ତାକୁ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ।’’

ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭା ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହ କେମିତି ସୁରୁଖୁରୁରେ ଚାଲିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ବିଧାନସଭାର ସବୁ କାର୍ଯ୍ୟ ଦିବସରେ ଗୋଟିଏ ବଦଳରେ ଦୁଇଟି ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ କରିବାକୁ ଦାବି କରିଥିଲେ।

ଜୁଲାଇ ୨ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ।

Comment