ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ପୁଣି ଚର୍ଚ୍ଚାରେ ଚୌଦ୍ୱାର ସର୍କଲ ଜେଲ। ଅତୀତରେ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହିଥିବା ଚୌଦ୍ୱାର ଜେଲ୍ ଏବେ କଏଦୀ କଏଦୀଙ୍କ ମାରପିଟକୁ ନେଇ ଚର୍ଚ୍ଚାଘେରକୁ ଆସିଛିା ଜଣେ କଏଦୀ ଅନ୍ୟ ଜଣେ କଏଦୀଙ୍କୁ କୋଦାଳରେ ହାଣି ପକାଇଛି। ଫଳରେ ଚୌଦ୍ୱାର ଜେଲରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି।

ବେକ ସମେତ ମୁଣ୍ଡ ଓ ଶରୀରର ଅନ୍ୟ ଭାଗରେ କୋଦାଳ ଚୋଟ ପଡ଼ିବାରୁ ଆଜୀବନ ସଜା ଭୋଗୁଥିବା ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାମ ରମେଶ ପ୍ରଧାନ(୫୨)। ତାଙ୍କ ଘର କଟକ ବିଡ଼ାନାସୀ ଥାନା ତୁଳସୀପୁର ମଠସାହି ଅଞ୍ଚଳରେ ।

ରମେଶଙ୍କ ମୃତଦେହକୁ ଚୌଦ୍ୱାର ଥାନା ପୋଲିସ୍ ଜବତ କରି ଏସସିବି ମେଡିକାଲରେ ବ୍ୟବଚ୍ଛେଦ କରାଇଛି।

ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ବହୁ ବିଳମ୍ବ ହୋଇଥିଲା। ଚୌଦ୍ୱାର ଥାନା ପୋଲିସର ଖାମଖିଆଲ ଓ ବେପରୁଆ ନୀତି ସହ ମାଜିଷ୍ଟ୍ରେଟ ବିଳମ୍ବରେ ଆସିବାକୁ ନେଇ ଦୀର୍ଘ ସମୟ କାଳ ଡାକ୍ତରଖାନାରେ ଶବ ପଡିରହିଥିଲା। ପୂର୍ବାହ୍ନ ସାଢେ ୧୦ଟାରୁ ଅପରାହ୍ନ ୩ଟା ଯାଏଁ ଶବ ପଡ଼ି ରହିଥିଲା। ବ୍ୟବଚ୍ଛେଦ ବିଳମ୍ବ ହେବାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ପରେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ମୃତକଙ୍କ ସମ୍ପର୍କୀୟଙ୍କୁ ଶବ ଜିମା ଦିଆଯାଇଥିଲା।

ସୋମବାର ସକାଳେ ଚୌଦ୍ୱାର ଜେଲ ଭିତର ବଗିଚାରେ ପ୍ରାୟ ୪୦ ଜଣ କଏଦୀ ବଗିଚା କାମରେ ନିୟୋଜିତ ଥିଲେ। ଶ୍ରମିକମାନେ କୋଦାଳ, କାଙ୍କ ଧରି କାମ କରୁଥିଲେ। ପତ୍ନୀ ହତ୍ୟା ଅଭିଯୋଗରେ ଜେଲରେ ଆଜୀବନ ସଜା ଭୋଗୁଥିବା ବିଡ଼ାନସୀ ଥାନା ତୁଳସୀପୁର ମଠ ସାହି ଅଞ୍ଚଳର ରମେଶ ପ୍ରଧାନଙ୍କ ସହ ଅନ୍ୟତମ କଏଦୀ ବିରିଡି ଥାନା ସଢେଇକଣା ଗ୍ରାମର ଜଳନ୍ଧର ସାମଲ(୩୫)ଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା।

ପରେ ଦୁହିଁଙ୍କ ମଧ୍ୟରେ ପେଲାଠେଲା ଓ ମାରପିଟ ହୋଇଥିଲା। ଗଣ୍ଡଗୋଳ ମଧ୍ୟରେ ଜଳନ୍ଧର ଉତକ୍ଷୀପ୍ତ ହୋଇ ହାତରେ ଧରିଥିବା କୋଦାଳରେ ରମେଶଙ୍କ ଅଣ୍ଟାକୁ ଏକ ପାହାର ଦେଇଥିଲେ।

ରମେଶ ତଳେ ପଡିଯିବାରୁ ଅଭିଯୁକ୍ତ ଜଳନ୍ଧର ତାଙ୍କ ବେକ ସମେତ ମୁଣ୍ଡ ପାଖକୁ କୋଦାଳରେ ହାଣି ପକାଇଥିଲା। ରମେଶଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ସେ ଗୁରୁତର ହୋଇପଡିଥିଲେ।

ଜେଲ୍ କର୍ମଚାରୀମାନେ ରମେଶଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ଏସ୍‌ସିବି ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ରମେଶଙ୍କୁ ଚିକିତ୍ସା କରିବା ପୂର୍ବରୁ ମୃତ ଘୋଷଣା କରିଥିଲେ।

Comment