ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର : ନବରଙ୍ଗପୁର ପୋଲିସ ସୋମବାର ରାତିରେ ପାଟ୍ରୋଲିଂ କରିବା ବେଳେ ଏକ ପରିବା ବୋଝେଇ ଗାଡିରୁ ୮୭ କେଜି ଗଞ୍ଜେଇ ଜବତ କରିଛି। ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ଭୋର ସମୟରେ ଏକ ପରିବା ବୋଝେଇ ଗାଡି ନବରଙ୍ଗପୁର ତ୍ରିବେଣୀ ଛକଠାରେ ଦ୍ରୁତ ବେଗରେ ଯିବାର ଦେଖି ପାଟ୍ରୋଲିଂ ଦଳ ପ୍ରଥମେ ଅଟକାଇଥିଲେ।

ଗାଡିଟି ନ ଅଟକିବାରୁ ସନ୍ଦେହ କରି ଗାଡି ପିଛା କରିଥିଲା ପୋଲିସ। ମାଝିଗୁଡାଠାରେ ଗାଡ଼ିଟିକୁ ଅଟକାଇଥିଲେ। ଗାଡିଟିକୁ ଯାଞ୍ଚ କରିବା ସମୟରେ ୩୦ ବସ୍ତା ପରିବା ମଧ୍ୟରେ ଗୋଟିଏ ବସ୍ତାରେ ୮୭ କେଜି ୭୦୦ଗ୍ରାମ ଗଞ୍ଜେଇ ବାହାରିଥିଲା। ଡ୍ରାଇଭର ଓମ ପ୍ରକାଶ ଚୌହାନ ଓ ଲଚମନ ଚୌହାନଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଉଭୟ ଛତିଶଗଡର ରାୟପୁର ଜିଲ୍ଲାର ରାମ ଭଟ ଗ୍ରାମର ବୋଲି ଜଣାପଡିଛି।

ଗାଡିଟି ମାଲକାନଗିରିରୁ ବାହାରି ନବରଙ୍ଗପୁର ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ସହକାରୀ ଜିଲ୍ଲାପାଳ ଚାଇନୁ ଗଣ୍ଡ ଓ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ଉପସ୍ଥିତିରେ ଗଞ୍ଜେଇ ପେକେଟ ଗୁଡିକୁ ଓଜନ କରାଯାଇଥିଲା। ପେଟ୍ରୋଲିଂ ସମୟରେ ଏସଆଇ  ଦେବଦଥ ମଲ୍ଲିକ, ଏସଆଇ ଖିରସିନ୍ଧୁ ସାହୁ ଓ ନିଳିମା ପାଣିଗ୍ରାହୀ ଥିଲେ।

Comment