ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହା ୩୦ ଦିନ ଧରି ଚାଲିବ। ଷୋଡ଼ଶ ବିଧାନସଭାର ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହୀତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ବି ଆସିବ। ତେବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଗୃହରେ ବିଜେପିର ଭୂମିକା କ’ଣ ହେବ। ରାଜ୍ୟସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଦେବା ଘଟଣାରେ ଇତି ମଧ୍ୟରେ ଢେର ରାଜନୈତିକ ଉଠାପକା ଚାଲିଥିବା ବେଳେ ସମସ୍ତଙ୍କ ଆଖି ବିଜେପି ବିଧାୟକଙ୍କ ଉପରେ। ବିଜେପି ବିଧାୟକମାନେ ଶାସକ ଦଳ ସହ ସଲାସୁତୁରା ଭାବ ପ୍ରଦର୍ଶନ କରିବେ ନା ବିରୋଧୀ ଦଳ ଭାବରେ ନିଜର ଦାୟିତ୍ୱ ତୁଲାଇବେ ତାହାରି ଉପରେ ସମସ୍ତଙ୍କ ନଜର ଲାଖି ରହିଛି।

ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ବିଜେପି ଓ ବିଜେଡି ପରସ୍ପରର ନିକଟବର୍ତ୍ତୀ ହୋଇଥିବା ଘଟଣାକୁ ନେଇ ଯେଉଁ ରାଜନୈତିକ ମନ୍ଥନ ଚାଲିଛି ତାହା ମଙ୍ଗଳବାର ଦିନ ଆରମ୍ଭ ହେଉଥିବା ଅଧିବେଶନରୁ ସ୍ପଷ୍ଟ ହୋଇଯିବ। ଲୋକସଭା ବାଚସ୍ପତିଙ୍କୁ ସମର୍ଥନ ଦେବାଠୁ ଆରମ୍ଭ କରି ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ଯାଏଁ ବିଜେଡି ବିଜେପିକୁ ଢେର ଯାଗା ଦେଇସାରିଛି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା କଥା ଯେ ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ ବିଜେଡି କିଛି ବି କରିପାରେ। ଏଣୁ ବିଜେପିକୁ ସମର୍ଥନ କରିବାରେ ଓ ବିଜେପିର ସମର୍ଥନ ଲୋଡ଼ିବାରେ କିଛି ଅସୁବିଧା ନାହିଁ। ନିର୍ବାଚନ ଇସ୍ତାହାରରେ ବିଜେଡି ଲୋକଙ୍କୁ ଯେଉଁ ସବୁ ପ୍ରତିଶୃତି ଦେଇଥିଲା କେନ୍ଦ୍ରରେ ଏନଡିଏ ସରକାର ସେହି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ କେତେ ସକ୍ରିୟ ଅଛନ୍ତି ତାହା ଆଗକୁ ଜଣାପଡ଼ିବ ବୋଲି ସେ କହିଛନ୍ତି।

କଂଗ୍ରେସ ଦଳ କିନ୍ତୁ ଏହି ଆଇ ମା’ କାହାଣୀରେ ବିଶ୍ୱାସ କରିବାକୁ ରାଜି ନୁହଁ। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବିଜେପି ଓ ବିଜେଡି ଭିତରେ ଯେହେତୁ ଭିତିରି ବୁଝାମଣା ହୋଇସାରିଛି ଅଳ୍ପ ସଂଖ୍ୟକ ବିଧାୟକ ଥିବା ସତ୍ତ୍ୱେ ଗୃହରେ  କଂଗ୍ରେସ ହିଁ ବିରୋଧୀ ଦଳର ଭୂମିକା ଆପଣେଇବ। ଅଧିକ ସଂଖ୍ୟକ ବିଧାୟକ ନିର୍ବାଚିତ ହୋଇଥିଲେ ହେଁ ବିଜେପି ତା’ର ଭୂମିକା ଗ୍ରହଣ କରିବା ଦେଖାଯାଉନାହିଁ ବୋଲି ମିଶ୍ର କହିଛନ୍ତି। ଗୃହରେ କଂଗ୍ରେସ ଅନେକଗୁଡ଼ିଏ ପ୍ରସଙ୍ଗ ଉଠାଇବ ବୋଲି ସେ କହିଛନ୍ତି।

ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଓ ବିଜେପି ଭିତରେ ବୁଝାମଣା ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି ଓ କହିଛନ୍ତି ଯେ ଏହା ସୁଦୁ ବାଜେ କଥା। ତାଙ୍କ କହିବା କଥା ହେଉଛି  ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଭିନ୍ନ ଅବସରରେ ବୁଝାମଣା କିଛି ଖରାପ ନୁହେଁ। ସେହିଭଳି ବିଜେଡି ମଧ୍ୟ ବୁଝାମଣା ଅଭିଯୋଗକୁ ଖଣ୍ଡନ କରିଛି। ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହାକୁ ଏକ ମନଗଢ଼ା କଥା ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ସାମ୍ବିଧାନିକ ପଦ ପାଇଁ ବିଭିନ୍ନ ଦଳ ପରସ୍ପରର ସାହାଯ୍ୟ ଲୋଡ଼ିବା କିଛି ନୂଆ କଥା ନୁହେଁ ଓ ଏଥିରେ କିଛି ଅସଙ୍ଗତି ନହିଁ। କଂଗ୍ରେସ ଏହି ଘଟଣାରେ ବେଶୀ ଭାବି ନେଉଛି ବୋଲି ସେ ତାତ୍ସଲ୍ୟ କରିଛନ୍ତି।

Comment