ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୋସିଆଲ ମିଡିଆରେ ଭାଇରାଲ ହେଲା ବିଷ୍ଣୁ ଦାସଙ୍କ ଶୋଇବା ଫଟୋ।

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ହେଲେ ଗୃହ ଆରମ୍ଭରୁ ଅଜବ ଦୃଶ୍ୟ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି। ବିଧାନସଭାରେ ଶ୍ରଦ୍ଧାଞ୍ଜଳି ସଭା ଚାଲିଥିବା ବେଳେ ଶାସକ ଦଳର ବିଧାୟକ ବିଷ୍ଣୁ ଦାସ ନିଜ ଆସନରେ ଶୋଇ ପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଥିଲା ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦିବଙ୍ଗତ ବିଧାୟକ ଏବଂ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ପ୍ରସ୍ତାବ ଆସିଥିଲା। ଏହାକୁ ସବୁ ଦଳର ବିଧାୟକମାନେ ସମର୍ଥନ କରିଥିଲେ। ପୂର୍ବତନ ମନ୍ତ୍ରୀବେଦପ୍ରକାଶ ଅଗ୍ରୱାଲ, ଗଙ୍ଗାଧର ପ୍ରଧାନ, ସହିଦ ସିଆର୍‌ପିଏଫ୍‌ ଯବାନ ପ୍ରସନ୍ନ ସାହୁ, ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସବୁ ବିଧାୟକ ନିଜ ନିଜ ଆସନରେ ଛିଡ଼ା ହୋଇଥିଲେ। କିନ୍ତୁ ତିର୍ତ୍ତୋଲ ବିଧାୟକ ଛିଡ଼ା ହୋଇ ନଥିଲେ। ହେଡ୍‌ଫୋନ ଲଗାଇ ସେ ନିଜ ଆସନରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

‘‘ସେ ଅସୁସ୍ଥ ଲୋକ। ନବୀନ ବାବୁ ତାଙ୍କୁ ଟିକେଟ ଦେଇ ବିଧାନସଭାକୁ ଜିତାଇ ଆଣିଛନ୍ତି। ସେ ଚାଲିକି ବି ଯିବାରେ ସମର୍ଥ ହେଉ ନାହାନ୍ତି। ଯଦି ସୁସ୍ଥ ଥାନ୍ତେ ତାହାଲେ କ’ଣ ଶୋଇଥାନ୍ତେ?’’, ଏହା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ବିଷ୍ଣୁ ଦାସ ଜଗତସିଂହପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ୨୦୧୯ରେ ତାଙ୍କ ନିର୍ବାଚନମଣ୍ଡଳୀ ବଦଳାଇଥିଲା ବିଜେଡି। ତିର୍ତ୍ତୋଲ ବିଧାନସଭା ଆସନରୁ ଏଥର ସେ ନିର୍ବାଚିତ ହୋଇଛନ୍ତି।

Comment