ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଅଧିବେଶନ ଆରମ୍ଭ ହୋଇଥିଲା। ହେଲେ ପ୍ରଥମ ଦିନ ହିଁ ଗୃହରେ ଝଡ଼ ଦେଖିବାକୁ ମିଳିଥିଲା।

ବିରୋଧୀ ଦଳ ନେତାଙ୍କୁ ନେଇ କଂଗ୍ରେସ ହଟ୍ଟଗୋଳ କରିଥିଲା। ବାଚସ୍ପତି ଗୃହର ପରମ୍ପରା ଭୁଲି ଯାଉଥିବା କଂଗ୍ରେସ ଅଭିଯୋଗ କରିଥିଲା।

‘‘ବିରୋଧୀ ଦଳ ନେତା କିଏ ତାହା ବାଚସ୍ପତି ଗୃହରେ ଘୋଷଣା କରି ନାହାନ୍ତି। ହେଲେ ବିରୋଧୀ ଦଳ ନେତା ଭାବେ ତାଙ୍କୁ ଭାଷଣ ଦେବାକୁ ଡାକିଥିଲେ। ବାଚସ୍ପତି ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଲେ’’, କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ସେ ଆହୁରି କହିଥିଲେ ଯେ ମେଣ୍ଟ ଘୋଷଣା ନହେଲେ ବି ଉଭୟ ଦଳ ଏକାଠି ଅଛନ୍ତି। ରାଜ୍ୟସଭା ଆସନ ଛାଡ଼ିଦେବା ବିଜେପି ବିଜେଡିର ଅଂଶୀଦାର ଦଳ ବୋଲି ସୂଚାଉଛି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ‘‘ବିରୋଧୀ ଦଳ ନେତା ଘୋଷଣା ପାଇଁ ବିଧାନସଭାରେ ଯେଉଁ ପ୍ରକ୍ରିୟା ହେବା କଥା ତାହା ହେଲା ନାହିଁ। ଗୃହର ପରମ୍ପରା ଭଙ୍ଗ ହୋଇଛି।’’

ବିଜେପି-ବିଜେଡି ଭାଇଭାଇ ନାରା ଦେଇ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ନିଜ ନିଜ ଆସନରୁ ଗୃହର ମଧ୍ୟଭାଗକୁ ଉଠି ଆସିଥିଲେ କଂଗ୍ରେସ ବିଧାୟକ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ରମେଶ ଜେନା, ତାରାପ୍ରସାଦ ବାହିନୀପତି ଏବଂ ମହମ୍ମଦ ମୋକିମ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ହୋ-ହଲ୍ଲା କରିଥିଲେ।

ପ୍ରଦୀପ୍ତ ନାଏକ କହିଛନ୍ତି, ‘‘ବିରୋଧୀ ଦଳ ନେତା ଭାବେ ଆମେ ବିଳମ୍ବରେ କାଗଜ ଦେଇଛୁ। ବାଚସ୍ପତି ଗଣମାଧ୍ୟମକୁ ଦେଖି ସମ୍ବୋଧିତ କରିଥିବେ।’’

Comment