ଓଡ଼ିଶାଲାଇଭ ବ୍ୟୁରୋ

‘‘ପାଠ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ। ଘରେ ବାପା ମା’ ଅର୍ଥାଭାବରୁ ପାଠ ପଢ଼ାଇ ପାରିଲେନି। ସେଥିଲାଗି ପିଉସାଙ୍କ ଘରେ ଆସି ପଢୁଥିଲି। କଠିନ ପରିଶ୍ରମ ଓ ସମସ୍ତଙ୍କ ଆର୍ଶୀବାଦ ବଳରେ ମୁଁ ଯୁକ୍ତ ୨ କଳାରେ ୫୩୩ ନମ୍ବର ରଖି ପୂରା ରାଜ୍ୟରେ ଷଷ୍ଠ ସ୍ଥାନରେ ରହିଛି ’’, ଏପରି କହି ନିଜର ଖୁସି ପ୍ରକାଶ କରିଛନ୍ତି ଛାତ୍ରୀ ସସ୍ମିତା ଜେନା।

ପଟିଆସ୍ଥିତ ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ସସ୍ମିତା କହିଛନ୍ତି ଯେ ଯୁକ୍ତ ୨ରେ ୮୯ ପ୍ରତିଶତ ମାର୍କ ରଖି ରାଜ୍ୟରେ ଷଷ୍ଠସ୍ଥାନ ହାସଲ କରିବା ସମ୍ଭବ ନଥିଲା। ହେଲେ ଶିକ୍ଷକଙ୍କ ସହଯୋଗ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଲା।

ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟରୁ ଏପରି କୃତୀ ଅର୍ଜନ କରିବାରେ ସେ ହେଉଛନ୍ତି ପ୍ରଥମ ଛାତ୍ରୀ। ଏଥିପାଇଁ ପରିବାରବର୍ଗ, ଶିକ୍ଷକ ଶିକ୍ଷୟତ୍ରୀ ଓ ସାଙ୍ଗସାଥୀ ବେଶ ଖୁସି ଅଛନ୍ତି। ଏହି ସଫଳତା ଅର୍ଜନ ପଛରେ ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ରାଜନୀତି ବିଜ୍ଞାନର ଶିକ୍ଷକଙ୍କ ହାତ ରହିଛି ବୋଲି ସେ କହିଛନ୍ତି। ଦିନକୁ ୬ରୁ ୭ ଘଣ୍ଟା ସେ ପରିଶ୍ରମ କରିଥିଲେ। ଏହାର ଫଳ ତାଙ୍କୁ ଆଜି ମିଳିଛି।

‘‘ଦୀର୍ଘ ୩୫ବର୍ଷ ହେବ ମୁଁ ଏହି ସମୟକୁ ଅପେକ୍ଷା କରିଥିଲି। ଝିଅର ସଫଳତାରେ ଯେତିକି ଖୁସି ଲାଗୁଛି ତାଠାରୁ ଅଧିକ ଗର୍ବ ମଧ୍ୟ ଲାଗୁଛି। ପରିବାରରେ ସମସ୍ତେ ପାଠପଢ଼ି ପାସ କରିଛନ୍ତି ହେଲେ କେହି ଟପ୍ପର ହୋଇନଥିଲେ। ଝିଅ ପାଇଁ ଆଜି ସମସ୍ତେ ଗର୍ବିତ‘‘,କହିଛନ୍ତି ସସ୍ମିତାଙ୍କ ପିଉସା ଧନେଶ୍ୱର ସାମଲ।

ଅର୍ଥାଭାବ ଥାଇ ମଧ୍ୟ ପଛ ଘୁଞ୍ଚା ନଦେଇ ପାଠ ପଢିବାକୁ ଆଗେଇ ଆସିଥିଲେ ସସ୍ମିତା। ଦୁଃଖ ସମୟରେ ସାହାରା ଦେଇଥିଲେ ପିଉସା ପିଉସୀ। ପ୍ରତିକୂଳ ପରିସ୍ଥିତିରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସସ୍ମିତା।

ଜୁନ ୨୧ରେ ଯୁକ୍ତ ୨ କଳା, ବାଣିଜ୍ୟ ପରିକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ କଳା ପାସହାର ୬୫.୮୯ ପ୍ରତିଶତ ରହିଥିଲା ବେଳେ ବାଣିଜ୍ୟରେ ୭୦.୨୬ ପ୍ରତିଶତ ରହିଛି। ଅନ୍ୟପକ୍ଷରେ କଳାରେ ଦୁଇଟି କଲେଜ ଓ ବାଣିଜ୍ୟରେ ଚାରୋଟି କଲେଜର ଫଳ ଶୂନ ରହିଛି। ଗତ ବର୍ଷ ତୁଳନାର ଏଥର ପାସ ହାର ବହୁତ କମିଛି। କଳାରେ ବାଲେଶ୍ଵରରେ ପାସ ହାର ସର୍ବାଧିକ ଓ ନବରଙ୍ଗପୁରରେ ପାସ ହାର ସର୍ବନିମ୍ନ ରହିଛି।

Comment