ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମଦିନରେ ଅର୍ଜ୍ଜୁନ କପୁରଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ?

ବଲିଉଡରେ ପ୍ରବେଶ କରିବାର ଏକ ଦଶନ୍ଧି ମଧ୍ୟରେ ଅର୍ଜ୍ଜୁନ କପୁର ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ବକ୍ସ ଅଫିସରେ ତାଙ୍କର ଫିଲ୍ମ ଅଧିକ ବ୍ୟବସାୟ ନ କଲେ ମଧ୍ୟ ତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା ମିଳିଛି ।

ଜୁନ୍ ୨୬, ୧୯୮୫ ମସିହାରେ ଜନ୍ମ ହୋଇଥିଲେ ଅର୍ଜ୍ଜୁନ। ଫିଲ୍ମ ଦୁନିଆରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଏକ ସମୟ ଏପରି ଥିଲା ଯେତେବେଳେ ସେ ଖୁବ୍ ମୋଟା ଥିଲେ। ସେତେବେଳେ ସେ ସ୍କୁଲ ଛାଡ଼ି ଘରେ ରହିବା ଯୋଗୁଁ ଓଜନ ବଢ଼ିଯାଇଥିଲା ତାଙ୍କର।

ଅର୍ଜ୍ଜୁନଙ୍କର ଘର ନାମ ଫୁବୁ ଥିଲା। ତାଙ୍କ ସାଙ୍ଗମାନେ ଏବେ ମଧ୍ୟ ତାଙ୍କୁ ଫୁବୁ ବୋଲି ଡାକିଥାନ୍ତି। ତାଙ୍କର ଏଭଳି ବିଚିତ୍ର ନାମକରଣ ପଛର କାହାଣୀକୁ ମଧ୍ୟ ସେ ଏକ ସାକ୍ଷାତକାରରେ କହିଥିଲେ। ପ୍ରକୃତରେ ଏହା ପୋଷାକ ବନାଉଥିବା ଏକ ଆମେରିକାନ୍ କମ୍ପାନିର ନାମ। ସେହି କମ୍ପାନି ବଡ଼ ସାଇଜର ପୋଷାକ ବନାଉଥିଲା। ଅର୍ଜ୍ଜୁନଙ୍କୁ ରଙ୍ଗୀନ ପୋଷାକ ପିନ୍ଧିବାକୁ ଭଲ ଲାଗୁଥିଲା। କିନ୍ତୁ ବଜାରରେ ମିଳୁଥିବା ସାଧାରଣ ସାଇଜର ପୋଷାକ ତାଙ୍କୁ ଫିଟ୍ ହେଉନଥିଲା। ଏଥିପାଇଁ ସେ ଫୁବୁ ବ୍ରାଣ୍ଡର ପୋଷାକ ପିନ୍ଧୁଥିବାରୁ ତାଙ୍କୁ ଏହି ନାମରେ ଡକାଯାଉଥିଲା।

ବାପା ବୋନି କପୁର ଏବଂ ମା’ ମୋନାଙ୍କ ବିବାହ ବିଚ୍ଛେଦ ସମୟରେ ସେ ଡିପ୍ରେସନର ଶିକାର ହୋଇଥିଲେ। ୧୩ ବର୍ଷର ଦାମ୍ପତ୍ୟକୁ ଭାଙ୍ଗି ବୋନି କପୁର ଶ୍ରୀଦେବୀଙ୍କୁ ବିବାହ କରିବା ପରେ ଅର୍ଜ୍ଜୁନ, ତାଙ୍କର ମା’ ମୋନା ଏବଂ ଭଉଣୀଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ସମୟରେ ଅର୍ଜ୍ଜୁନ ମାନସିକ ଭାବେ ଅବସାଦଗ୍ରସ୍ତ ହୋଇ ପଡ଼ିଥିଲେ। ଭଉଣୀ ଅଂଶୁଳାଙ୍କ ଉଦ୍ୟମ ପରେ ସେ ଧୀରେ ଧୀରେ ଏଥିରୁ ମୁକ୍ତ ହୋଇଥିଲେ।

ତେବେ ଅର୍ଜ୍ଜୁନ କପୁର ଏକ ଫୋବିଆରେ ଶିକାର ହୋଇଛନ୍ତି। ତାଙ୍କୁ ସିଲିଂ ଫ୍ୟାନ ଖୁବ୍ ଭୟ ଲାଗିଥାଏ। କାଳେ ତାହା ଖସିପଡ଼ିବ ତାହା ସେ ସବୁବେଳେ ଭୟ କରନ୍ତି। ତେଣୁ ତାଙ୍କ ଘରେ ସିଲିଂ ଫ୍ୟାନ୍ ନାହିଁ।

Comment