ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ପକ୍ଷରୁ ଏହାର ସପ୍ତମ ବ୍ୟାଚ୍‌ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କମେନ୍ସମେଣ୍ଟ ଡେ’ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଅଡିଟୋରିଅମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେପିଏମ୍‌ଜିର ସିନିୟର ଆସୋସିଏଟ୍‌ ଡାଇରେକ୍ଟର(ଏଚ୍‌ଆର) ସାହିଲ ନାୟର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ରାମକୋ ଗ୍ରୁପର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ(ଏଚ୍‌ଆର) ପ୍ରଭୁ ନାମ୍ବିଆପାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧାକର ପଣ୍ଡା, କୁଳସଚିବ ଡକ୍ଟର ବି.କେ. ଦାସ ଏବଂ ବିର୍ଲା ବିଜିନେସ ସ୍କୁଲର ଡିନ୍‌ ପ୍ରଫେସର ପରମେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳ ଭବିଷ୍ୟତ ପାଇଁ ବଡ଼ ସ୍ୱପ୍ନ ଦେଖିବାକୁ ଉତ୍ସାହିତ କରିଥିଲେ।

କେପିଏମ୍‌ଜିର ସିନିୟର ଆସୋସିଏଟ୍‌ ଡାଇରେକ୍ଟର(ଏଚ୍‌ଆର) ସାହିଲ ନାୟର କହିଥିଲେ ଯେ, “ଜଣେ ସଫଳ ବିଜିନେସ ମ୍ୟାନେଜର ହେବା ପାଇଁ ଜୀବନରେ ବିଭିନ୍ନ ସ୍କିଲ ବା କୌଶଳ ଆୟତ କରିବାକୁ ହେବ। ତେବେ କ୍ଲାସରୁମ୍‌ର ପାଠ ପଢ଼ା ମଧ୍ୟ କିଛି କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ ଜଣଙ୍କର ପେସାଦାର ଜୀବନର ମୂଲଦୂଆ ହିଁ ତା’ର କଲେଜ ବା ବିଶ୍ୱବିଦ୍ୟାଳୟ ଜୀବନରୁ ଆରମ୍ଭ ହୋଇଥାଏ।”

 “ଜଣେ ଛାତ୍ର ବା ଛାତ୍ରୀ ସେତେବେଳେ ନିଜ ଜୀବନରେ ଉନ୍ନତି କରିପାରିବା ଭଳି ସମ୍ଭାବନା ସୃଷ୍ଟି କରିବ ଯେତେବେଳେ ସେ ନିଜର ପାଠକୁ ସଠିକ ଭାବେ ପଢ଼ିଥିବ ଓ ଆୟତ କରିଥିବ। କାରଣ ଜଣେ ପେସାଦାର ସବୁବେଳେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ପାଇଁ ନିଜ ଆଖିକାନ ଖୋଲା ରଖିବା ଦରକାର। ମଣିଷର ଏହି ଜିଜ୍ଞାସା ଛାତ୍ର ଜୀବନରୁ ହିଁ ବିକଶିତ ହୋଇଥାଏ।” ବିଜିୟୁର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଏକଥା କହିଥିଲେ ରାମକୋ ଗ୍ରୁପର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ(ଏଚ୍‌ଆର) ପ୍ରଭୁ ନାମ୍ବିଆପାନ୍।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧାକର ପଣ୍ଡା କହିଥିଲେ ଯେ, ‘‘ବିର୍ଲା ଏକ ପରିବାର। ଏଠାରେ ଛାତ୍ରଛାତୀମାନଙ୍କର କେବଳ ପାଠପଢ଼ା ନୁହେଁ, ବରଂ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଇଥାଏ।” ଏହି ଅବସରରେ ସେ ନବାଗତ ଛାତ୍ରଛାତ୍ରୀଙ୍କୁ ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟକୁ ସ୍ୱାଗତ କରିଥିଲେ।

ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଜି ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିରେ ବହୁ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଅଭିଭାବକ ମଧ୍ୟ ଯୋଗଦେଇଥିଲେ।

ଘରୋଇ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅତ୍ୟାଧୁନିକ ତଥା ପେସାଦାର ପାଠ୍ୟକ୍ରମ ପ୍ରଦାନ ଦିଗରେ  ବିର୍ଲା ଗ୍ଲୋବାଲ ୟୁନିଭରସିଟି ଓଡ଼ିଶାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ନାଁ କରିପାରିଛି। ଅଭିଜ୍ଞ ଶିକ୍ଷକ, ଉନ୍ନତ ଶୈଳୀର ଶିକ୍ଷାଦାନ, ସୁସଙ୍ଗଠିତ ଲାଇବ୍ରେରୀ ତଥା ଆଧୁନିକ କ୍ଲାସରୁମ୍ ସହିତ ଏକ ସଠିକ ଶୈକ୍ଷିକ ବାତାବରଣ ଏହି ଶିକ୍ଷାନୁଷ୍ଠାନର ପରିଚୟ ବୋଲି ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ବି.କେ. ଦାସ କହିଛନ୍ତି।

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ଏମବିଏ ଓ ବିବିଏ ସହ ଇଣ୍ଟିଗ୍ରେଟେଡ ଲ’ ଏବଂ ଜର୍ଣ୍ଣାଲିଜମ ଭଳି ପେସାଦାର ପାଠ୍ୟକ୍ରମ ରହିଛି। ତା’ ସହିତ ସୋସିଆଲ ସାଇନ୍ସ ଏଣ୍ଡ ହ୍ୟୁମାନିଟିସ୍‌ ଏବଂ କମର୍ସ ଆଦି ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର କ୍ଷେତ୍ରରେ ଶିକ୍ଷାଦାନ କରାଯାଉଛି।

Comment