ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଡିଓ ଭାଇରାଲ ଘଟଣାର ତଦନ୍ତ ପାଇଁ ଗଠନ ହେଲା ତିନି ଜଣିଆ ଟିମ୍।

କଟକ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକ୍‌ଟକ୍‌ ଭିଡିଓ ଭାଇରାଲକୁ ନେଇ ରାଜ୍ୟ ତମାମ ତୁମ୍ବିତୁଫାନ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ନଥମୁଣୁ ରାଜ୍ୟର ସର୍ବବୃହତ ହସ୍ପିଟାଲ୍ କଟକ ଏସ୍‌ସିବିରେ ସମାନ ଘଟଣା ସାମ୍ନାକୁ ଆସିଛି।

ଅର୍ଥୋପେଡିକ ୱାର୍ଡରେ ତିନି ଜଣ ମହିଳା କର୍ମଚାରୀ ରୋଗୀଙ୍କ ସମ୍ମୁଖରେ ନାଚୁଥିବା ଏହି ଭିଡିଓରେ ଦେଖାଯାଇଛି। ଭିଡିଓ ଭାଇରାଲ୍ ହେବା ପରେ କର୍ତ୍ତୃପକ୍ଷ ଏବେ ତତ୍ପରତା ଦେଖାଇଛନ୍ତି।

କିଭିଳି ଓ କେଉଁ ପରିସ୍ଥିତିରେ ଏହି ଭିଡିଓ ହସ୍ପିଟାଲରେ ରେକର୍ଡ ହେଲା, ତାର ଚେର ଖୋଜିବା ପାଇଁ ଏକ ତିନି ଜଣିଆ ଟିମ୍ ଗଠନ ହୋଇଛି। ଏଥି ସହିତ ଭିଡିଓରେ ଦେଖାଯାଉଥିବା ଜଣେ ହସ୍ପିଟାଲ୍ କର୍ମଚାରୀଙ୍କୁ କାର୍ଯ୍ୟରୁ ମଧ୍ୟ ଅବ୍ୟାହତ ଦିଆଯାଇଛି।

ଏସ୍‌ସିବି ଅର୍ଥୋପେଡିକ ବିଭାଗରେ ଅସହାୟ ରୋଗୀଙ୍କୁ ସହାୟତା କରିବା ପାଇଁ ଠିକା ସଂସ୍ଥା ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ କିଛି ମହିଳା ଆଟେଣ୍ଡାଣ୍ଟଙ୍କୁ ନିୟୋଜିତ କରାଯାଇଥିଲା। ଏହି ଆଟେଣ୍ଡାଣ୍ଟମାନେ ଅର୍ଥୋପେଡ଼ିକ୍ ୱାର୍ଡକୁ ଆସୁଥିବା ଅସହାୟ ରୋଗୀଙ୍କୁ ସହଯୋଗ କରିବା ପାଇଁ ନିୟୋଜିତ ହୋଇଛନ୍ତି। ତେବେ ଗତକାଲି ସୋସିଆଲ୍ ମିଡିଆରେ ହଠାତ୍ ଉକ୍ତ ସଂସ୍ଥାର କିଛି ମହିଳା କର୍ମଚାରୀଙ୍କ ଟିକ୍‌ଟକ୍‌ ଭିଡିଓ ଦେଖାଯାଇଥିଲା। ସଂସ୍ଥାର ତିନି ଜଣ କର୍ମଚାରୀ ଏହି ଭିଡିଓରେ ଥିବା ଦେଖିବାକୁ ମିଳିଥିଲା।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭିଡିଓଟି ଅର୍ଥୋପେଡିକ୍ ୱାର୍ଡର ଅସହାୟ ରୋଗୀ ରହୁଥିବା ଶର୍ଯ୍ୟା ପାଖରେ ସୁଟିଂ କରାଯାଇଛି। ଅନ୍ୟ ଏକ ବିଷୟ ହେଉଛି ଏଭଳି ଗୋଟିଏ କି ଦୁଇଟି ଭିଡିଓ ସେଠାରେ ସୁଟିଂ ହୋଇନି, ପ୍ରାୟ ୮ଟି ଭିଡିଓ ଭିନ୍ନ ଭିନ୍ନ ସମୟରେ ୱାର୍ଡ ଭିତରେ ସୁଟିଂ କରାଯାଇଛି।

ଭିଡିଓରେ ଉକ୍ତ ଠିକା ସଂସ୍ଥାର ମହିଳା କର୍ମଚାରୀମାନେ ଗୀତ ଗାଇ ନାଚୁଛନ୍ତି। ଏପରିକି ବେଡ୍‌ରେ ରୋଗୀ ଥିବା ସମୟରେ ମଧ୍ୟ କର୍ମଚାରୀମାନେ ନାଚିକି ଉକ୍ତ ଭିଡିଓକୁ ସୁଟିଂ କରିଛନ୍ତି। ଭିଡିଓଟି ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି। ମାଲକାନଗିରି ପରେ ପୁଣି ଏଭଳି ଏକ ଘଟଣା ହସ୍ପିଟାଲ୍ ଭିତରେ ଘଟିବା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସିଧାସଳଖ ଆଙ୍ଗୁଳି ଉଠାଉଛି।

ଅନ୍ୟପଟେ ଭିଡିଓକୁ ନେଇ ସବୁ ମହଲରୁ ସମାଲୋଚନା ଆସିବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ଭିଡିଓରେ ଦେଖାଯାଉଥିବା ଜଣେ ମହିଳା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ଅବ୍ୟାହତ ଦିଆଯାଇଛି।

ଅନ୍ୟପଟେ ଘଟଣାର ତଦନ୍ତ ନେଇ ତିନି ଜଣିଆ କମିଟି ଗଠନ ହୋଇଛି। ଏଥିରେ ଅର୍ଥୋପେଡିକ ବିଭାଗ ମୁଖ୍ୟ ଡାକ୍ତର ରବି ଜୀ, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ଓ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସଦସ୍ୟ ଅଛନ୍ତି।

ଏନେଇ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ‘‘ଭିଡିଓରେ ଦେଖାଯାଉଥିବା ଜଣେ ମହିଳା ତିନି ମାସ ପୂର୍ବରୁ ଏସ୍‌ସିବିରୁ କାମ ଛାଡ଼ି ଦେଇଛନ୍ତି। ଅନ୍ୟ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଡ୍ୟୁଟିରୁ ଅବ୍ୟାହତି ଦିଆଯାଇଛି। ଏନେଇ ସବିଶେଷ ତଦନ୍ତ କରାଯାଇ ଏସ୍‌ସିବି ଅଧିକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କୁ ରିପୋର୍ଟ ଦିଆଯିବ।’’

ଅନ୍ୟପଟେ କାର୍ଯ୍ୟରୁ ଅବ୍ୟାହତି ନେଇଥିବା ମହିଳା କର୍ମଚାରୀ କହିଛନ୍ତି, ‘‘ଏହି ଭିଡିଓରେ ସେ କୌଣସି ନୃତ୍ୟ କରିନାହାନ୍ତି। ଭିଡିଓଟି ୭ ମାସ ତଳର। ଅନ୍ୟ ଜଣେ ମହିଳା କର୍ମଚାରୀ ଏହି ଭିଡିଓକୁ ତାଙ୍କ ଅଜାଣତରେ ସୁଟିଂ କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି।’’

Comment