ଓଡ଼ିଶାଲାଇଭ୍ ବ୍ୟୁରୋ
କେୟାର ହସ୍ପିଟାଲ ରାଜ୍ୟରେ ପ୍ରଥମ ଥର ବିନା ଅସ୍ତ୍ରୋପଚାରରେ ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ କାର୍ଯ୍ୟକ୍ରମର ଶୁଭାରମ୍ଭ।
ଏଣିକି ମେଦବହୁଳତା ରୋଗୀଙ୍କ ପାଇଁ ନୂଆ ସୁବିଧା। ଭୁବନେଶ୍ଵର କେୟାର ହସ୍ପିଟାଲ ଆଣିଛି ଏକ ନୂତନ ସୁବିଧା। ଏଣିକି ବିନା ଅସ୍ତ୍ରୋପଚାରରେ କମାଇପାରିବେ ଓଜନ। ଶନିବାର ଭୁବନେଶ୍ଵର କେୟାର ହସ୍ପିଟାଲ ତରଫରୁ ଡାକ୍ତର ମୋହିତ ଭଣ୍ଡାରୀଙ୍କ ନେତୃତ୍ଵରେ ବିନା ଅସ୍ତ୍ରୋପଚାର ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡାକ୍ତର ଭଣ୍ଡାରୀ ୧୧୦୦୦ ରୁ ଅଧିକ ବାରିଆଟ୍ରିକ ସର୍ଜରୀରେ କାର୍ଯ୍ୟ ସମ୍ପାଦନ ସହ ୭୦ରୁ ଉର୍ଦ୍ଧ୍ଵ ଦେଶରେ ଏସମ୍ପର୍କରେ ସେବା ପ୍ରଦାନ କରିସାରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦଘାଟନ କରିଥିଲେ।
ନବକିଶୋର ଦାସ କହିଥିଲେ ଯେ, “ବିନା ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା ସହର ତଥା ଓଡ଼ିଶା ରାଜ୍ୟ ପାଇଁ କେୟାର ହସ୍ପିଟାଲ ତରଫରୁ ଏକ ନୂଆ ଚେଷ୍ଟା। ଏଥିରେ ସାରା ରାଜ୍ୟର ଜନସାଧାରଣ ଏହି ଚିକିତ୍ସା ସୁବିଧା ପାଇଁ ବାହାରକୁ ଯିବାକୁ ପଡିବ ନାହିଁ। ମେଦ ବହୁଳତା ଏବଂ ମଧୁମେହ ବର୍ତ୍ତମାନ ସାରା ରାଜ୍ୟ ପାଇଁ ଏକ ଚିନ୍ତାର କାରଣ ହୋଇଛି, ଅଧିକାଶଂ ଶିଶୁମାନଙ୍କ ମେଦବହୁଳତା ପରିଲକ୍ଷିତ ହେଉଛି। ତେଣୁ କେୟାର ହସ୍ପିଟାଲ ଦ୍ଵାରା ଏହି ଚିକିତ୍ସା ସ୍ଵାଗତଯୋଗ୍ୟ।”
ଡାକ୍ତର ଭଣ୍ଡାରୀ ବେରିଆଟ୍ରିକ ସର୍ଜରୀର ସଫଳତା ପାଇଁ ୫୦୦ରୁ ଅଧିକ ଡାକ୍ତରଙ୍କୁ ପ୍ରଶିକ୍ଷିତ କରିଛନ୍ତି। ୨୦୧୨ ମସିହାରେ ପ୍ରଥମଥର ସେ ୩୫୦ କି.ଗ୍ରା ଓଜନର ଏସିଆ ମହାଦେଶରେ ଜଣେ ମହିଳାଙ୍କ ମେଦବହୁଳତା ସର୍ଜରୀକୁ ପରୀକ୍ଷା କରିଥିଲେ। ୨୦୧୩ରେ ଜଣେ ୬ବର୍ଷର ବାଳକ ଉପରେ ଏହି ସର୍ଜରୀ ପ୍ରୟୋଗ କରି ସଫଳ ହୋଇଥିଲେ।
ଏନେଇ ଡାକ୍ତର ଭଣ୍ଡାରୀ କହିଛନ୍ତି, “ମେଦବହୁଳତା ବର୍ତ୍ତମାନ ସମୟରେ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହା ଦ୍ଵାରା ଦେଶର ଅଧିକ ଲୋକ ଆକ୍ରାନ୍ତ। ଏଥିପାଇଁ ମଧୁମେହ, ହୃଦସମ୍ପର୍କିତ ରୋଗ, ଉଚ୍ଚ ରକ୍ତଚାପ, ନିଦ୍ରାହୀନତା ଆଦି ରୋଗ ହୋଇଥାଏ। ତେଣୁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଦ୍ଵାରା ଆମେ ଏହାର ସମାଧାନର ବାଟ ବାହାର କରିଛୁ।”
ଭାରତରେ ଏହି ସର୍ଜରୀ ସଫଳତା ପାଇଁ ଏହି ଯୁବ ଡାକ୍ତରଙ୍କ ଅବଦାନ ଆବଶ୍ୟକ। ମାତ୍ର ୧୧ ଘଣ୍ଟା ମଧ୍ୟରେ ନିଜର ୪୦ ସଦସ୍ୟ ଟିମ ସହିତ ୨୫ଟି ବେରିଆଟ୍ରିକ ସର୍ଜରୀ କର୍ଯ୍ୟ ଶେଷ କରିଥିଲେ। ଡାକ୍ତର ଭଣ୍ଡାରୀ ହେଉଛନ୍ତି ରୋବୋଟିକ ବେରିଆଟ୍ରିକ ସର୍ଜରୀ କରିବା କ୍ଷେତ୍ରରେ ପ୍ରଥମ ଡାକ୍ତର।