ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦୁଝର ଜିଲ୍ଲାରେ ସ୍ଵାମୀ ସହଯୋଗରେ ସ୍ତ୍ରୀକୁ ଦୁଷ୍କର୍ମ ଘଟଣା ପରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀକୁ ଜଣେ ନବମ ଶ୍ରେଣୀର ନାବାଳକ ଦୁଷ୍କର୍ମ କରିଛି। ଫଳରେ ନାବାଳିକାକୁ ସଂକଟାପନ୍ନ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ହାଟଡ଼ିହ ବ୍ଲକ ଶାସଙ୍ଗ ଅଞ୍ଚଳରେ। ଘଟଣା ପରେ ନନ୍ଦିପଦା ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି।

ସୂଚନାନୁସାରେ, ନାବାଳିକାର ବାପା-ମା ନଥିବାରୁ ସେ ସମ୍ପର୍କିୟ ମଉସାଙ୍କ ଘରେ ରହି ପାଠ ପଢୁଥିଲା। ନାବାଳିକାର ମଉସା ଅଭିଯୁକ୍ତଙ୍କ ଦାଦା ଘରେ ଭଡା ରହୁଥିଲେ। ରବିବାର ଦିନବେଳା ଘରେ ସମସ୍ତେ ଶୋଇଥିବା ବେଳେ ନାବାଳିକା ଜଣକ ଘରେ ଟିଭି ଦେଖୁଥିଲେ।

ଅଭିଯୁକ୍ତ ଟିଭି ଦେଖିବା ବାହାନରେ ତାଙ୍କ ଘରକୁ ଯାଇ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଏକ ଛୋଟ ପିଲା ଘର ଭିତରକୁ ପଶି ଆସିଥିଲା। ଘଟଣା ଦେଖି ପିଲାଟି ଜୋରେ ପାଟି କରିବାରୁ ପରିବାର ଲୋକ ଉଠିପଡ଼ିଥିଲେ ଫଳରେ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିଲା ସେହି ସମୟରେ ଗ୍ରାମବାସୀ ତାକୁ ଧରି ବାନ୍ଧି ଦେଇଥିଲେ।

ପରେ ପୋଲିସକୁ ଖବର ମିଳିବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଏନେଇ ନାବାଳିକାର ମଉସା ନନ୍ଦିପଦା ଥାନରେ ଏତାଲା ଦେଇଛନ୍ତି।

Comment