ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍‌ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ।

‘‘ମଣିଷକୁ କଷ୍ଟ ହେଲେ ସେ ଏକା ସଂଗେ ଭଗବାନ ଏବଂ ଡାକ୍ତରଙ୍କୁ ମନେ ପକାଇଥାଏ। ରୋଗୀମାନଙ୍କ ପାଇଁ ଡାକ୍ତର ଭଗବାନଙ୍କ ସଦୃଶ। ତେବେ ବର୍ତ୍ତମାନ ଅନେକ କ୍ଷେତ୍ରରେ ଡାକ୍ତରମାନେ ହିଂସା ଓ ଆକ୍ରମଣର ଶିକାର ହେଉଛନ୍ତି। ଏଭଳି ସମସ୍ୟାରୁ ମୁକୁଳିବା ପାଇଁ ଡାକ୍ତରମାନଙ୍କ ମଧ୍ୟରେ ଏକତା ଆସିବା ଜରୁରୀ’’, କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ।

ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ‘ଡାକ୍ତର ଦିବସ’ ପାଳନ ଅବସରରେ ପ୍ରଫେସର ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡାକ୍ତରମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନିନ୍ଦା କରିବା ସହ ଡାକ୍ତର ଦିବସକୁ ସମାରୋହ ଭାବେ ଗ୍ରହଣ ନ କରି ନିରାଡମ୍ବର ଭାବେ ପାଳନ କରିବା ଉଚିତ୍ ବୋଲି କହିଥିଲେ।

‘‘ଆମ ଦେଶରେ ପ୍ରତି ଘଣ୍ଟାରେ କେହି ନା କେହି ଡାକ୍ତର ଶାରୀରିକ ଭାବେ ଆକ୍ରମଣର ଶିକାର ହେଉଛନ୍ତି ଅଥବା ମାନସିକ ସ୍ତରରେ ଆଘାତ ପାଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ହେବ। କିନ୍ତୁ ଏଥିପାଇଁ ବିକ୍ଷୋଭ ବା ଆନ୍ଦୋଳନ କରିବା ସମୟରେ ଯେପରି ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ନଜର ଦେବା ଉଚିତ’’, କହିଥିଲେ ପ୍ରଫେସର ବାନାର୍ଜୀ।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ୨୦୧୯ ଡାକ୍ତର ଦିବସର ଥିମ୍ ରଖାଯାଇଛି ‘ଜିରୋ ଟଲେରାନ୍ସ ଟୁ ଭାଓଲେନ୍ସ ଏଗେନଷ୍ଟ ଡକ୍ଟର୍ସ ଆଣ୍ଡ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟସ୍‌’।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଇଏମ୍ଏସ୍  ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଚଳିତବର୍ଷର ଥିମ୍ ଉପରେ ଆଲୋକପାତ କରି ଡାକ୍ତରମାନେ କିଭଳି ନିଃସ୍ୱାର୍ଥପର ଭାବେ ସେବା କରିବା ଉଚିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପୂର୍ବତନ ଡିନ୍ ଏବଂ ଉପଦେଷ୍ଟା ପ୍ରଫେସର ଡାକ୍ତର ଧୀରେନ୍ଦ୍ର କୁମାର ରାୟ, ପ୍ରଫେସର ଡାକ୍ତର ସୁରେଶ୍ୱର ମହାନ୍ତି ଏବଂ ଇପଫେକ୍ସନ୍ କଂଟ୍ରୋଲ୍ କମିଟିର ମୁଖ୍ୟ ପ୍ରଫେସର ଡାକ୍ତର ଏନ୍. କେ. ଦେବତା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ଡାକ୍ତର ଦିବସ ଅବସରରେ ସମ୍ ହସ୍ପିଟାଲ୍ ପରିସରରେ ଡାକ୍ତରୀ ଛାତ୍ର ଏବଂ ଡାକ୍ତରମାନଙ୍କ ପକ୍ଷରୁ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଡାକ୍ତରମାନେ କିଭଳି ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା କରିବେ ସେନେଇ ଦୁଇଟି ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା ।

ଡାକ୍ତର ଦିବସ ଅବସରରେ ସମ୍ ହସ୍ପିଟାଲର ୫ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇଏନ୍‌ଟି ବିଭାଗର ମୁଖ୍ୟ ତଥା ପ୍ରଫେସର ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଇମ୍ୟୁନୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ପରିଡା, ନିଓନାଟୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ଫାର୍ମାକୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରଶ୍ମିରେଖା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comment