ଓଡ଼ିଶାଲାଇଭ୍ ବ୍ୟୁରୋ
ଗଢ଼ି ଉଠୁଥିବା ସହରଗୁଡିକରେ ବଢ଼ି ଚାଲିଥିବା ଜଳ ନିଷ୍କାସନ ସମସ୍ୟାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି)ର କର୍ମଚାରୀ ସୀତାଂଶୁ ମୋହନ ପରିଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସୀତାଂଶୁଙ୍କର ‘ଜଳ ନିଷ୍କାସନ’ ସମ୍ପର୍କୀୟ ମତାମତକୁ ପ୍ରଶଂସା କରିଛନ୍ତି।
ସୋଆରେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ଭାବେ କାର୍ଯ୍ୟରତ ସୀତାଂଶୁ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ତାଙ୍କ ମତାମତକୁ ଗ୍ରହଣ କରିବା ସହ ପ୍ରଶଂସା କରିଥିବା ଘଟଣା ତାଙ୍କର ସବୁଦିନ ପାଇଁ ମନେ ରହିବ।’’
ମ୍ୟାନେଜମେଣ୍ଟରେ ଗ୍ରାଜୁଏଟ୍ ସୀତାଂଶୁ ସରକାରୀ ୱେବସାଇଟ୍ ଦେଖୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଚିନ୍ତାଧାରା ଓ ମତାମତ ପଠାଇବା ପାଇଁ ଆସିଥିବା ନିମନ୍ତ୍ରଣ ଦେଖିବାକୁ ପାଇଥିଲେ।
ତେବେ ସେ କେବେ ବି ଭାବି ନଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ମତାମତକୁ ଏଭଳି ଭାବେ ଗ୍ରହଣ କରାଯିବ।
ସୀତାଂଶୁ କହିଛନ୍ତି, ‘‘ସହର ମାନଙ୍କରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ଭାବେ ବର୍ତ୍ତମାନ ଉଭା ହୋଇଛି। ତେଣୁ ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ଅଧିକ ଜଳ ନିଷ୍କାସନ ପ୍ରୋଜେକ୍ଟ କରିବା ପାଇଁ ସେ ମତାମତ ଦେଇଥିଲେ। ଏହି ସମସ୍ୟାକୁ ଗୁରୁତ୍ୱର ସହିତ ନେଇ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏଥି ସହିତ ବର୍ଷା ଋତୁରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏହା ଉପରେ ଦୃଷ୍ଟି ଦେବାକୁ ସେ ମତ ଦେଇଥିଲେ।’’
ଭୁବନେଶ୍ୱରର ଉଦାହରଣ ଦେଇ ସେ କହିଥିଲେ ଯେ ଯଦିଓ ଏହା ଏବେ ସ୍ମାର୍ଟ ସିଟି ଭାବେ ପରିଗଣିତ ହେଉଛି ତେବେ ଏଠାରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା।
ଦୁଇ ମାସ ତଳେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟାର ବିଷୟରେ ଉଲ୍ଲେଖ କରି ସୀତାଂଶୁ ବାତ୍ୟାପ୍ରବଣ ରାଜ୍ୟଗୁଡିକରେ କେବୁଲଗୁଡିକୁ ମାଟିତଳେ ରଖିବାକୁ ମତାମତ ଦେଇଥିଲେ। ମାଟି ତଳେ କେବୁଲ୍ ରହିଥିଲେ ବାତ୍ୟା ପ୍ରଭାବିତ ସହରଗୁଡିକରେ ଏତେଦିନ ଯାଏଁ ବିଜୁଳି ବିଭ୍ରାଟ ଘଟି ନଥାନ୍ତା ବୋଲି ସେ କହିଛନ୍ତି।