ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲାଭରମ୍ ପ୍ରକଳ୍ପ କାମ ତୁରନ୍ତ ବନ୍ଦ କରିବା ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁପ୍ରିମକୋର୍ଟରେ ମାମଲା ବିଚାରଧିନ ଥିବାରୁ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସେ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ ୨୦୦୫ ମସିହାରେ ପୋଲାଭରମ୍ ପ୍ରକଳ୍ପକୁ ବିନା ଜନଶୁଣାଣିରେ ପରିବେଶ ଅନୁମତି ମିଳିଥିଲା। ହେଲେ ୨୦୧୧ ଫେବ୍ରୁଆରି ୮ରେ ଏହି ପ୍ରକଳ୍ପ ଡିଜାଇନରେ ପରିବର୍ତ୍ତନର ସମ୍ଭାବନା ଥିବା ଦର୍ଶାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା। ହେଲେ ପ୍ରକଳ୍ପ କାମ ଆଗେଇ ଚାଲିଛି।
ପୋଲାଭରମ୍ ପ୍ରକଳ୍ପ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା ଜଳ ପ୍ଲାବିତ ହେବ। ଓଡ଼ିଶା ବ୍ୟାପକ କ୍ଷତି ସହିବ। ଏଣୁ ଏହାକୁ ଦୃଷ୍ଟିରେ ରଖି ପୋଲାଭରମ୍ ପ୍ରକଳ୍ପ କାମରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ନବୀନ।