ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ନିଆଳି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସୁଚିସ୍ମିତା ମୁଦୁଲି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଜଣେ ଦୁର୍ବୃତ୍ତ ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ କଟୁରିରେ ହାଣି ଲହୁ ଲୁହାଣ କରି ଦେଇଛି।

ଦିନ ପ୍ରାୟ ୧୧ଟା ୩୦। ନିଆଳି ଆମ୍ବାପଡା ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିଲା ପାଠପଢା। ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲି କ୍ଲାସ୍ ନେଉଥାନ୍ତି। ଶ୍ରେଣୀଗୃହରେ ବହୁ କୁନି ଛାତ୍ରଛାତ୍ରୀ ପାଠ ପଢୁଥାନ୍ତି। ହଠାତ୍ ଏହି ସମୟରେ ଜଣେ ଦୁର୍ବୃତ୍ତ ଏକ ଧାରୁଆ କଟୁରି ନେଇ କ୍ଲାସ୍ ରୁମ୍ ଭିତରକୁ ପଶିଲା।

ଅତର୍କିତ ଭାବେ ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କୁ ନିର୍ମମ ଭାବେ ହାଣିବାକୁ ଲାଗିଲା। କଟୁରି ଚୋଟରେ ଶିକ୍ଷୟିତ୍ରୀଙ୍କ ଦୁଇହାତ, ମୁଣ୍ଡ, ବେକ, ପିଠିରେ ଗଭୀର କ୍ଷତ ସୃଷ୍ଟି ହେବା ପରେ ସେ ଅଚେତ ଅବସ୍ଥାରେ ପଡିଯାଇଥିଲେ। ଏହାପରେ ଦୁର୍ବୃତ୍ତ ସେଠାରୁ ଚମ୍ପଟ୍ ମାରିଥିଲା।

କୁନିକୁନି ପିଲାଙ୍କ ସାମ୍ନାରେ ଏଭଳି ବୀଭତ୍ସ କାଣ୍ଡରେ ପୂରା ସ୍କୁଲ୍ ସ୍ତବ୍ଧ ହୋଇଯାଇଥିବା ବେଳେ ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅଭିଯୁକ୍ତ ଆମ୍ବପଡ଼ା ଗାଁର ବିଭୂତି ମହାନ୍ତି (୪୪)କୁ ପୋଲିସ ଚାରିଛକଠାରୁ ଗିରଫ କରିଛି।

ତେବେ ଅଭିଯୁକ୍ତ ଜଣକ କାହିଁକି ଏଭଳି ଅଭାବନୀୟ କାଣ୍ଡ କଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଗୁରୁତର ଅବସ୍ଥାରେ ସୁଚିସ୍ମିତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶିକ୍ଷୟିତ୍ରୀଙ୍କ ଏଭଳି ଅବସ୍ଥା ଦେଖି ଶ୍ରେଣୀ ଗୃହରେ ଥିବା କୁନି ପିଲାମାନେ ଚିତ୍କାର କରିଥିଲେ। ଯିଏ ଯୁଆଡେ ଦୌଡିବାକୁ ଲାଗିଥିଲେ। ଶିକ୍ଷୟିତ୍ରୀଙ୍କ ରକ୍ତ ଛିଟାରେ ଶ୍ରେଣୀଗୃହ ରକ୍ତାକ୍ତ ହୋଇଯାଇଥିଲା। ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନିଆଳି ଚାରିଛକ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣା ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଆହତ ଶିକ୍ଷୟିତ୍ରୀଙ୍କ ଖୁଡି ନିଆଳି ଥାନାରେ ପୃଥକ ପୃଥକ ଭାବେ ଏତଲା ଦେଇଛନ୍ତି।

ନିଆଳି ପୋଲିସ କେସ୍ ନମ୍ବର ୧୫୩/୨୦୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

ସୁଚିସ୍ମିତାଙ୍କର ଘର ସେହି ଆମ୍ୱାପଡ଼ା ଗ୍ରାମରେ ହୋଇଥିବା ବେଳେ ୪ ବର୍ଷ ତଳେ ନାଉଗାଁ ଥାନା ଓଷକଣା ଗ୍ରାମରେ ବିବାହ କରିଥିଲେ। ତାଙ୍କର ଏବେ ୪ ମାସର ଶିଶୁ କନ୍ୟାଟିଏ ଅଛି।

Comment