ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଲେଡିଜ ହଷ୍ଟେଲରେ ୪ ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଆଜି ବିଧାନସଭା ଉଠିଛି ପଡ଼ିଛି।

ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ଦାବି କରିଛି। ଏହାସହ ଜୁଲାଇ ୧୨ ସୁଦ୍ଧା ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ଉପସ୍ଥାପନ କରିବାକୁ ଦାବି କରିଛି କଂଗ୍ରେସ।

ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ସେ କହିଥିଲେ, ‘‘୪ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ସରକାର ଚାପି ଦେବାକୁ ବସିଥିଲେ। କିନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣା କେମିତି ଘଟିଲା ତାର ନିରପେକ୍ଷ ତଦନ୍ତ କରାଯାଉ। ତଥ୍ୟ ଅନୁସନ୍ଧାନ କରି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ।’’

ନରସିଂହ ମିଶ୍ର ଆହୁରି କହିଥିଲେ ଯେ ରାଜ୍ୟ ସରକାର ‘ମାଆକୁ ସମ୍ମାନ’ ସ୍ଲୋଗାନ ଦେଉଛନ୍ତି। ହେଲେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ବଢ଼ି ଚାଲିଛି। ଏହା କ’ଣ ବାସ୍ତବରେ ମାଆକୁ ସମ୍ମାନ?

ଏହାପରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ସରକାର ବିରୋଧୀ ସ୍ଲୋଗାନ ଦେଇ ଗୃହକୁ ହୁଲସ୍ତୁଲ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ ମୁଲତବୀ ରଖିଥିଲେ।

Comment